Explore

Search

March 17, 2026 12:11 am

ପତ୍ର ଥାଳି ତିଆରି କରି ମିଳିଲା ନୂଆ ପରିଚୟ : ସ୍ୱାବଲମ୍ବୀ ହେଲେ ଶତାଧିକ ମହିଳା

କେନ୍ଦ୍ରାପଡା : କଥାରେ ଅଛି ନିଜ ଉପରେ ଆତ୍ମବିଶ୍ୱାସ ଓ ପରିଶ୍ରମୀ ଥିଲେ ଜଣେ ନାରୀ ସବୁ କିଛି କରିପାରେ । ଏହାକୁ ପ୍ରମାଣ କରିଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ମହିଳାମାନେ । ପତ୍ର ଥାଳି ଓ ଦନା ତିଆରି କରି ସେମାନେ ଆଜି ସ୍ୱାବଲମ୍ବନର ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଏହି ଉଦ୍ୟମ ମାଧ୍ୟମରେ ଶତାଧିକ ମହିଳା ନିଜେ ଆର୍ଥିକ ଭାବେ ସକ୍ଷମ ହେବା ସହ ପରିବାରର ଆର୍ଥିକ ଭିତ୍ତିକୁ ମଧ୍ୟ ମଜବୁତ କରୁଛନ୍ତି । ଆଉ ଆଜି ଏହି ପତ୍ର ଥାଳି ସେମାନଙ୍କୁ ଦେଇଛି ନୂଆ ପରିଚୟ ।

ଡେରାବିଶ ବ୍ଲକ ଅଞ୍ଚଳରେ ବିଏଲଏଫ (BLF) ପକ୍ଷରୁ ଆରମ୍ଭ ହୋଇଥିବା ପତ୍ର ଥାଳି ଉତ୍ପାଦନ ୟୁନିଟ ଏହି ସଫଳତାର ମୂଳ ଆଧାର। ପରିବେଶ ପାଇଁ କ୍ଷତିକାରକ ପ୍ଲାଷ୍ଟିକ ଥାଳିର ବ୍ୟବହାର ବଢ଼ିଥିବା ସମୟରେ ପ୍ରାକୃତିକ ପତ୍ରରେ ତିଆରି ଥାଳି ଓ ଦନା ତିଆରି କରିବାକୁ ଏହି ସଂସ୍ଥା ନିଷ୍ପତ୍ତି ନେଇଥିଲା। ଏହି ପଦକ୍ଷେପ ମହିଳାମାନଙ୍କ ପାଇଁ ନୂଆ ଜୀବିକା ରାସ୍ତା ଖୋଲିଦେଇଛି।

୨୦୨୫ ମସିହା ଫେବ୍ରୁଆରୀରେ ଏହି ୟୁନିଟ ଆରମ୍ଭ ହୋଇଥିଲା। ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ଏକ ପୁରୁଣା ବିଦ୍ୟାଳୟ ଭବନକୁ ପୁନରୁଦ୍ଧାର କରି ସେଠାରେ ଏହି କାରଖାନା ଚାଲୁ କରାଯାଇଛି । ଚାଟରାଚକଡ଼ା ପଞ୍ଚାୟତ ଅଧୀନ ହାଫିମେଳକ ଗାଁରେ ଥିବା ପୁରୁଣା ଛତାବଟ ବାଳିକା ହାଇସ୍କୁଲ ବନ୍ଦ ହେବା ପରେ ଭବନଟି ଅବ୍ୟବହୃତ ଅବସ୍ଥାରେ ଥିଲା। BLF ଏହାକୁ କାମରେ ଲଗାଇ ନୂଆ ଉଦ୍ୟମ ଆରମ୍ଭ କରିଛି।

ସରକାରୀ ମିଶନ ଶକ୍ତି ସଂଘର ଆବର୍ତ୍ତନ ପାଣ୍ଠିରୁ ପ୍ରାୟ ୪ ଲକ୍ଷ ଟଙ୍କା ଋଣ ନେଇ ଏହି ଉଦ୍ୟମ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଏଠାରେ ଶାଳ ଓ ଶିଆଳି ପତ୍ରରୁ ଥାଳି ଓ ଦନା ତିଆରି ହେଉଛି । ଦିନକୁ ହଜାର ହଜାର ପତ୍ର ଥାଳି ପ୍ରସ୍ତୁତ କରାଯାଉଥିବା ବେଳେ ଏହାର ଚାହିଦା ଦିନକୁ ଦିନ ବଢ଼ୁଛି।

ମାସିକ ଖର୍ଚ୍ଚ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେଉଥିବା ସତ୍ତ୍ୱେ ଏହି ୟୁନିଟରୁ ପ୍ରାୟ ୩୫ ହଜାର ଟଙ୍କା ଲାଭ ମିଳୁଛି। ବିଭିନ୍ନ ବିବାହ ଅବସର, ମନ୍ଦିର ଓ ଭୋଜିଭାତରେ ପ୍ରାକୃତିକ ପତ୍ର ଥାଳି ବ୍ୟବହାର ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଭଲ ରହିଛି ।

କେନ୍ଦ୍ରାପଡା ଜିଲ୍ଲା ସହିତ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ମାର୍ଶାଘାଇ ଓ ଡେରାବିଶ ଅଞ୍ଚଳକୁ ଏହି ପତ୍ର ଥାଳି ଯାଉଛି। ଏହାସହ ହାଇଦ୍ରାବାଦର ଏକ ଜଗନ୍ନାଥ ମନ୍ଦିରରୁ ମଧ୍ୟ ପ୍ରତିମାସ ୩୦ ରୁ ୪୦ ହଜାର ପତ୍ର ଥାଳି ପାଇଁ ଅର୍ଡର ମିଳୁଛି। ତଥାପି କଞ୍ଚାମାଲ ଓ ଯନ୍ତ୍ରପାତିର ଅଭାବରୁ ସମସ୍ତ ଅର୍ଡର ପୂରଣ କରିବା ସମ୍ଭବ ହେଉନାହିଁ।

BLF ପକ୍ଷରୁ କୁହାଯାଇଛି ଯଦି ଆର୍ଥିକ ସହାୟତା ଓ ଅଧିକ ମେସିନ ମିଳେ, ତେବେ ଉତ୍ପାଦନ ବଢ଼ାଇ ବଜାର ଚାହିଦା ପୂରଣ କରାଯାଇପାରିବ । ଏହି ଉଦ୍ୟମ କେବଳ ପରିବେଶ ସୁରକ୍ଷାକୁ ସହାୟତା କରୁନାହିଁ, ବରଂ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score