ଦେଶରେ LPG ଗ୍ୟାସ ସଙ୍କଟ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ କେନ୍ଦ୍ର ସରକାର ପକ୍ଷରୁ ସାଧାରଣ ଲୋକଙ୍କୁ ଆଶ୍ବାସନା ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ତୈଳ ଓ ଗ୍ୟାସର କୌଣସି ସଙ୍କଟ ନାହିଁ। ଗତ ୫ ଦିନ ମଧ୍ୟରେ ଦେଶରେ LPG ଉତ୍ପାଦନ ପ୍ରାୟ ୨୮ ପ୍ରତିଶତ ବୃଦ୍ଧି ପାଇଥିବାରୁ ଗ୍ରାହକମାନେ ଆତଙ୍କିତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ଆଜି ସଂସଦରେ ମଧ୍ୟ ତୀବ୍ର ଚର୍ଚ୍ଚା ଦେଖାଯାଇଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି LPG ଗ୍ୟାସ ସଙ୍କଟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ, ଗ୍ୟାସ ଅଭାବରୁ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟର ବ୍ୟବସାୟ ପ୍ରଭାବିତ ହେଉଛି ଓ ସାଧାରଣ ଲୋକ ମଧ୍ୟ ଗ୍ୟାସ ନମିଳିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ବିଶ୍ୱରେ ତୈଳ ବଜାରରେ ଅସ୍ଥିରତା ଥିଲେ ମଧ୍ୟ ଭାରତର ଅଶୋଧିତ ତୈଳ ଯୋଗାଣ ସ୍ଥିତି ସୁରକ୍ଷିତ ଅଛି । ସେ କହିଥିଲେ ଯେ, ବିଶ୍ୱ ମଞ୍ଚରେ ଘଟୁଥିବା ବିଭିନ୍ନ ବିବାଦ ସତ୍ତ୍ୱେ ଭାରତ ପୂର୍ବ ପ୍ରସ୍ତୁତି ନେଇ ପର୍ଯ୍ୟାପ୍ତ ପରିମାଣରେ ତୈଳ ସଂଗ୍ରହ କରି ରଖିଛି । ବିଶେଷ କରି ଷ୍ଟ୍ରେଟ ଅଫ ହର୍ମୁଜ ମାର୍ଗରୁ ଆସୁଥିବା ତୈଳର ବଡ଼ ଅଂଶ ପୂର୍ବରୁ ଭାରତକୁ ପହଞ୍ଚି ସାରିଛି ବୋଲି ସେ ସୂଚନା ଦେଇଥିଲେ।
ଏପଟେ ଓଡ଼ିଶା ବିଧାନସଭାରେ ମଧ୍ୟ LPG ଦରବୃଦ୍ଧି ଓ ଗ୍ୟାସ୍ ଯୋଗାଣ ପ୍ରସଙ୍ଗକୁ ନେଇ ତୀବ୍ର ହଟ୍ଟଗୋଳ ଦେଖାଯାଇଥିଲା । ଗୃହ ଆରମ୍ଭ ହେବା ସହିତ କଂଗ୍ରେସ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। ବିଜେଡି ସଦସ୍ୟମାନେ ମଧ୍ୟ ନିଜ ଆସନରେ ଠିଆ ହୋଇ ଏହାକୁ ସମର୍ଥନ କରିଥିଲେ। ଫଳରେ ପ୍ରଶ୍ନୋତ୍ତର କାଳ କେବଳ ୧୧ ମିନିଟ ଚାଲିବା ପରେ ବାଚସ୍ପତି ଗୃହକୁ ମୁଲତବି କରିଥିଲେ।
ପରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ ମଧ୍ୟ ଗ୍ୟାସ ପ୍ରସଙ୍ଗ ଉଠିଥିଲା। ଗ୍ୟାସ କଳାବଜାରୀ ଅଭିଯୋଗ ଉଠାଇ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ। ଏହାର ପରିଣାମରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।
ବିରୋଧୀଙ୍କ ପ୍ରଶ୍ନର ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ପ୍ରଚୁର ପରିମାଣରେ LPG ମହଜୁଦ ରହିଛି ଏବଂ ରାଜ୍ୟରେ ଗ୍ୟାସ ଯୋଗାଣରେ କୌଣସି ଅସୁବିଧା ନାହିଁ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଅନାବଶ୍ୟକ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।
ତଥାପି ସରକାର ପକ୍ଷରୁ ଗ୍ୟାସ ସଙ୍କଟ ନାହିଁ ବୋଲି କୁହାଯାଉଥିବା ସତ୍ତ୍ୱେ ଦେଶର କିଛି ସ୍ଥାନରେ ଏପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ପାଇଁ ଲୋକମାନେ ଲମ୍ବା ଲାଇନ ଲଗାଇଥିବା ଦୃଶ୍ୟ ମଧ୍ୟ ଦେଖାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
