Explore

Search

January 13, 2026 12:01 pm

ଦକ୍ଷତାରେ ଉତ୍କର୍ଷତା ଲକ୍ଷ୍ୟ, ୯ଟି ITIରେ ସ୍ଥାପିତ ହେବ AI ଲ୍ୟାବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପାୟନର ଗତି ଦ୍ରୁତଗତିରେ ବଢୁଛି । ଯାହା ଯୁବପୀଢ଼ିଙ୍କ ପାଇଁ ଏକ ବଡ ସୁଯୋଗ। ତେଣୁ ଯୁବବର୍ଗ ଯେଉଁ କ୍ଷେତ୍ରରେ ନିଜକୁ ଦକ୍ଷ କରିବେ, ସେହି କ୍ଷେତ୍ରରେ ରାଜ୍ୟ ମଧ୍ୟରେ ନିଯୁକ୍ତି ସୁଯୋଗ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । କାରଣ ଏବେ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଜୋର ଦେଇ କହିଛନ୍ତି ।

ଓଡ଼ିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୁବ ଓ ଦକ୍ଷ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଏହି ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିଥିବା ୫୪ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଓ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି । ସ୍ବର୍ଣ୍ଣ ବିଜେତାଙ୍କୁ ୨୫ ହଜାର, ରୌପ୍ୟ ବିଜେତାଙ୍କୁ ୨୦ ହଜାର ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୧୫ ହଜାର ଟଙ୍କା ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ଦୀର୍ଘକାଳୀନ ବିକାଶ ଓ ଅର୍ଥନୈତିକ ସମୃଦ୍ଧି ପାଇଁ ଦକ୍ଷତା ଅତ୍ୟନ୍ତ ଆବଶ୍ୟକ। ଯୁବବର୍ଗ ଯେତେ ଅଧିକ ଦକ୍ଷ ଓ ଆତ୍ମବିଶ୍ୱାସୀ ହେବେ, ସେମାନେ ନିଜ ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରିବେ। ଏହା ୨୦୩୬ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବ।

ସେ ଆହୁରି କହିଛନ୍ତି, ରାଜ୍ୟର ଶିଳ୍ପାୟନ ଲକ୍ଷ୍ୟ ତିନିଟି ମୁଖ୍ୟ ସ୍ତମ୍ଭ ଉପରେ ଆଧାରିତ । ଭିତ୍ତିଭୂମି ବିକାଶ, ଶିଳ୍ପ ସ୍ଥାପନ ପାଇଁ ଅନୁକୂଳ ପରିବେଶ ଏବଂ ଦକ୍ଷତା ବୃଦ୍ଧି। ଗତ ୧୮ ମାସ ମଧ୍ୟରେ ୬.୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ, ଏଥିରୁ ପ୍ରାୟ ୩ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି ହେବ।

ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାର ‘ଉତ୍କର୍ଷ ITI’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହା ଅନ୍ତର୍ଗତ ରାଜ୍ୟର ୪୭ଟି ITIକୁ ‘ସେଣ୍ଟର ଅଫ୍ ଏକ୍ସେଲେନ୍ସ’ ରୂପେ ବିକାଶ କରାଯିବ। ସେହିପରି କୃତ୍ରିମ ବୁଦ୍ଧିମତ୍ତାରେ ଦକ୍ଷତା ବୃଦ୍ଧି ପାଇଁ ୯ଟି ITIରେ AI ଲ୍ୟାବ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦକ୍ଷତା ପ୍ରତିଯୋଗିତା କେବଳ ପ୍ରତିଯୋଗିତା ନୁହେଁ, ବରଂ ନୂତନ ଓଡ଼ିଶାର ଆକାଂକ୍ଷା ଓ ପ୍ରତିଭାକୁ ପ୍ରତିବିମ୍ବିତ କରୁଛି । ଏହା ଯୁବପ୍ରତିଭାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସୁଯୋଗ ଦେଇଥାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score