ଆଜି ସାରା ରାଜ୍ୟ ଓ ଦେଶରେ ଭକ୍ତି ଓ ଆସ୍ଥାର ସହିତ ପବିତ୍ର ଶ୍ରୀପଞ୍ଚମୀ ଅଥବା ବସନ୍ତ ପଞ୍ଚମୀ ପାଳନ କରାଯାଉଛି । ଏହି ପବିତ୍ର ତିଥିରେ ବିଦ୍ୟା, ବୁଦ୍ଧି, ବାଣୀ ଓ ସଂସ୍କୃତିର ଦେବୀ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ। ଶୀତ ଋତୁର ବିଦାୟ ସହ ଧରାପୃଷ୍ଠରେ ବସନ୍ତର ମନୋହର ଆଗମନକୁ ସୂଚିତ କରେ ଏହି ଦିନ।
ପୌରାଣିକ କଥା ଅନୁସାରେ, ପୃଥିବୀ ସୃଷ୍ଟି ହେବା ପରେ ସମସ୍ତ ଜୀବ ନିରବ ଥିଲେ। କାରଣ ସେମାନଙ୍କ ପାଖରେ ବାଣୀ ଓ ଜ୍ଞାନ ନଥିଲା। ଏହା ଦେଖି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଅନୁରୋଧରେ ଦେବୀ ମା’ ଦୁର୍ଗା ମା’ ସରସ୍ୱତୀଙ୍କୁ ସୃଷ୍ଟି କରିଥିଲେ। ବୀଣା, ପୁସ୍ତକ ଓ ଜ୍ଞାନର ପ୍ରତୀକ ସହ ଅବତରିତ ହୋଇ ମା’ ସରସ୍ୱତୀ ଜଗତକୁ କଥା କହିବାର ଶକ୍ତି ଓ ବିବେକ ପ୍ରଦାନ କରିଥିଲେ।
ସେହି ଦିନଠାରୁ ଶ୍ରୀପଞ୍ଚମୀକୁ ଜ୍ଞାନ ଓ ଶିକ୍ଷାର ଆରମ୍ଭ ଦିନ ଭାବେ ଗ୍ରହଣ କରାଯାଏ। ଏହି ଦିନ ପିଲାମାନଙ୍କ ଖଡ଼ିଛୁଆଁ ହୋଇ ପାଠପଢ଼ାର ଆରମ୍ଭ କରାଯାଏ। ସଙ୍ଗୀତଜ୍ଞମାନେ ନିଜ ନିଜ ବାଦ୍ୟଯନ୍ତ୍ରର ପୂଜା କରି ମା’ଙ୍କ ଆଶୀର୍ବାଦ କାମନା କରନ୍ତି ।
ବସନ୍ତପଞ୍ଚମୀ କେବଳ ଏକ ପର୍ବ ନୁହେଁ, ଏହା ମନୁଷ୍ୟର ଚେତନା, ସୃଜନଶୀଳତା ଓ ଜ୍ଞାନର ଜାଗରଣର ପ୍ରତୀକ। ମା’ ସରସ୍ୱତୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ଜ୍ଞାନମୟ ଓ ଆଲୋକମୟ ହେଉ ଏହି ଆଶା ସହ ପାଳିତ ହେଉଛି ପବିତ୍ର ଶ୍ରୀପଞ୍ଚମୀ।
ମାଘ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସାରା ରାଜ୍ୟରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜା ଭକ୍ତି ଓ ଆସ୍ଥାର ସହିତ ପାଳନ କରାଯାଉଛି। ପୁରପଲ୍ଲୀରୁ ଆରମ୍ଭ କରି ବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡ଼ିକରେ ମା’ଙ୍କ ପୂଜାର୍ଚ୍ଚନା ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଛି।
ହିନ୍ଦୁ ଧର୍ମ ଅନୁସାରେ ମା’ ସରସ୍ୱତୀ ହେଉଛନ୍ତି ଜ୍ଞାନ, ବୁଦ୍ଧି, ବିବେକ ଓ ବାଣୀର ଦେବୀ। ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ସ୍ୱରୂପେ ପରିଚିତ। ବାଗଦେବୀ, ଶାରଦା ଓ ବାଣୀ ଭାବେ ମଧ୍ୟ ସେ ପୂଜିତ। ମା’ ସରସ୍ୱତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ଏ ତିନୋଟି ରୂପକୁ ଆଦ୍ୟାଶକ୍ତିଙ୍କ ଭିନ୍ନ ଭିନ୍ନ ସ୍ୱରୂପ ଭାବେ ଗ୍ରହଣ କରାଯାଏ।
ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି । ଏହି ଉପଲକ୍ଷେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ଶ୍ରେଣୀ ଗୃହକୁ ରଙ୍ଗୀନ କାଗଜମାଳା ଓ ଫୁଲରେ ସଜାଇ ମା’ଙ୍କ ଆରାଧନା କରାଯାଇଥାଏ । ମା’ଙ୍କ ପୂଜାରେ ପଞ୍ଚାମୃତ, ଧଳା ଫୁଲ, ଚନ୍ଦନ, ଧଳା ବସ୍ତ୍ର, ନଡ଼ିଆ, ଘିଅ, ଫଳ ସହ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରାଯାଏ।
ପୌରାଣିକ ବର୍ଣ୍ଣନା ଅନୁଯାୟୀ, ମା’ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି, ହସ୍ତରେ ବୀଣା ଓ ପୁସ୍ତକ ଧରି ଶ୍ଵେତ ପଦ୍ମ ଉପରେ ପଦ୍ମାସନରେ ବିରାଜମାନ ଥାନ୍ତି। ବୀଣା ଧାରଣ କରିଥିବାରୁ ତାଙ୍କୁ ବୀଣାପାଣି ବୋଲି ମଧ୍ୟ କୁହାଯାଏ। ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପରମ୍ପରା ମଧ୍ୟ ପାଳିତ ହୋଇଥାଏ।
ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ପାଳନ ସହ ଏହି ତିଥିରୁ ବେଣ୍ଟ ଯାତ୍ରା ଆରମ୍ଭ ହୋଇ ଦୋଳ ଯାଏଁ ଚାଲିଥାଏ । ବେଣ୍ଟ ଯାତ୍ରା ଠାକୁରଙ୍କର ଶିକାର ଯାତ୍ରା । ବୈଷ୍ଣବ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହା ବନଗମନ ସମୟ । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରତିନିଥି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଗ୍ରହ ବେଣ୍ଟପୋଖରୀ ପାଖକୁ ଶିକାରରେ ଯାଆନ୍ତି । ବେଣ୍ଟ ପୋଖରୀରେ ମୃଗ ଭାବେ ନଡ଼ିଆ ଏବଂ କସ୍ତୁରୀପୁଡ଼ିଆ ରଖାଯାଏ । ଠାକୁର ତାକୁ ବାଣ ସଂଯୋଗ କରନ୍ତି । ଏହି ଦିନ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳା ପାଞ୍ଜି ପୂଜା କରାଯାଏ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
