ଖୋର୍ଦ୍ଧା : ଜମୁଛି ଖୋର୍ଦ୍ଧା ପଲ୍ଲିଶ୍ରୀ ଓ ସୁଭଦ୍ରା ମେଳା । ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ଟିଏସି ରୋଡ ସ୍ଥିତ ବିଡିଏ ପଡ଼ିଆରେ ଚାଲୁଥିବା ଏହି ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳାକୁ ଦେଖିବାକୁ ଲାଗିଛି ଦର୍ଶକଙ୍କ ଖଚାଖଚ ଭିଡ। ଆଉ ଏହି ମେଳାର ତୃତୀୟ ସନ୍ଧ୍ୟାରେ ଆୟୋଜିତ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା।
ଓଡ଼ିଶାର ବିଶ୍ୱବିଦିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତି, ଓଡ଼ିଆ ଅସ୍ମିତା ଓ ପାରମ୍ପାରିକ କଳାର ଅନନ୍ୟ ପରିଚୟକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାର ନୃତ୍ୟ ଓ ସଙ୍ଗୀତ ପ୍ରସ୍ତୁତି ଦର୍ଶକମାନଙ୍କୁ ବେଶ ଆକର୍ଷିତ କରିଥିଲା।
ଏହି ସନ୍ଧ୍ୟାରେ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ଖୋର୍ଦ୍ଧା ବାବା ବାଲୁଙ୍କେଶ୍ୱର ନୃତ୍ୟ ମନ୍ଦିର, ନିରାକାରପୁର,ବରୁଣେଇ ପାଇକ ଆଖଡ଼ା, ସାର ଦାଦା ସାଂସ୍କୃତିକ ଅନୁଷ୍ଠାନ, କଟକ, ପଲ୍ଲବି, ମୟୂରଭଞ୍ଜ ସହ ଓଡ଼ିଶୀ, ଗୋଟିପୁଅ ଓ ଡ୍ରାମା ପରି ବିଭିନ୍ନ କଳାର ମନୋହର ପ୍ରଦର୍ଶନ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସୂଚାରୁ ରୂପେ ଭାବେ ପାଳନ ହୋଇଥିଲା।
ଖୋର୍ଦ୍ଧା ଜିଲ୍ଲାର ପାଇକମାନଙ୍କ ବୀରତ୍ୱର ଗାଥାକୁ ଉଜାଗର କରୁଥିବା ପାଇକ ଯୋଦ୍ଧା ଯୁଦ୍ଧ ଓ ପାଇକ ଆଖଡ଼ା ନୃତ୍ୟ ଦର୍ଶକମାନଙ୍କୁ ବେଶ ଆନନ୍ଦିତ କରିଥିଲା। ବହୁ ସଂଖ୍ୟାରେ ଉପସ୍ଥିତ ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।
ଜିଲ୍ଲାର ବିଭିନ୍ନ ଦୂରଦୂରାନ୍ତ ଅଞ୍ଚଳରୁ ମା’ମାନେ ଓ ସାଧାରଣ ଜନତା ମେଳାକୁ ଆସିଥିବାରୁ ପଡ଼ିଆରେ ବିଶାଳ ଜନସମାବେଶ ଦେଖିବାକୁ ମିଳିଥିଲା । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳା ଚାଲିବାକୁ ଥିବା ବେଳେ, ଜନସାଧାରଣ ଗ୍ରାମୀଣ ଉତ୍ପାଦ କ୍ରୟ କରିବାର ସୁଯୋଗ ମଧ୍ୟ ପାଇପାରିବେ।
ତେବେ ଆୟୋଜିତ ଏହି ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳାର ପ୍ରଥମ ଦିନରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ନିଜ ଅଭିଭାଷଣରେ ସେ କହିଥିଲେ ଯେ ଗ୍ରାମୀଣ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବା ଆବଶ୍ୟକ। ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଆନୁଷଙ୍ଗିକ କୃଷି ଉଦ୍ୟୋଗରେ ସଫଳତା ପାଇ ‘ଲକ୍ଷପତି ଦିଦି’ ଭାବେ ଉଦାହରଣ ସୃଷ୍ଟି କରୁଛନ୍ତି।
ସେ ଆହୁରି କହିଥିଲେ ଯେ ୨୦୨୭ ସୁଦ୍ଧା ୫୦ ଲକ୍ଷ ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢ଼ି ତୋଳି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି । ନାରୀ ଅଦାଲତ, ସୁଭଦ୍ରା ଶକ୍ତି କେନ୍ଦ୍ର ପରି ପଦକ୍ଷେପ ଦ୍ୱାରା ଗ୍ରାମୀଣ ଅର୍ଥନୀତି ଅଧିକ ସୁଦୃଢ଼ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ଜିଲ୍ଲାସ୍ତରୀୟ ଏକତ୍ରିତ ପଲ୍ଲିଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳା, କୃଷି ଯନ୍ତ୍ରପାତି ମେଳା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସହ ପୁସ୍ତକ ମେଳାକୁ ମହିଳା, ଯୁବକ ଓ ସାଧାରଣ ଜନତା ପାଇଁ ଏକ ଭବ୍ୟ ଓ ଦିବ୍ୟ ମଞ୍ଚ ବୋଲି ଉଲ୍ଲେଖ କରି ସମସ୍ତଙ୍କୁ ମେଳାର ସୁଯୋଗ ନେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆହ୍ୱାନ ଜଣାଇଥିଲେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
