Explore

Search

January 13, 2026 8:36 am

ଚାଷୀଙ୍କ ଭରସା ବ୍ରହ୍ମପୁରର କ୍ଲାଇମେଟ ଚମ୍ପିଆନ ସ୍ୱର୍ଣ୍ଣଲତା ସାହୁ

ବ୍ରହ୍ମପୁର : ସରଳ ଚାଲିଚଳନ, ଶାନ୍ତ ସ୍ୱଭାବ ଓ ଦୃଢ଼ ମନୋବଳ ଏହି ଗୁଣ ଗୁଡ଼ିକ ହିଁ ସ୍ୱର୍ଣ୍ଣଲତା ସାହୁଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଛି । କୌଣସି ଅହଂକାର ନାହିଁ, ନିଜକୁ ବଡ଼ ବୋଲି କେବେ ମଧ୍ୟ ଭାବନ୍ତି ନାହିଁ। ଏହି ସରଳତା ପଛରେ ଲୁଚି ରହିଛି ଏକ ଅସାଧାରଣ ବ୍ୟକ୍ତିତ୍ୱ । ବ୍ରହ୍ମପୁର ଅଞ୍ଚଳରେ ‘କ୍ଲାଇମେଟ ଚମ୍ପିଆନ’ ଭାବେ ପରିଚିତ ସ୍ୱର୍ଣ୍ଣଲତା ସାହୁ ମାତ୍ର ୪୦ ବର୍ଷ ବୟସରେ କୃଷି କ୍ଷେତ୍ରରେ ଏକ ନୂଆ ଦିଗ ଦେଖାଇଛନ୍ତି । ଆଉ ବ୍ରହ୍ମପୁର ଅଞ୍ଚଳର ଅନେକ ମହିଳା ଚାଷୀଙ୍କୁ ସଶକ୍ତ କରିଛନ୍ତି ।

ସ୍ୱର୍ଣ୍ଣଲତାଙ୍କ ଜୀବନ ଅତି ସାଧାରଣ ଓ ହସଖୁସିରେ ବିତୁଥିଲା। କିନ୍ତୁ କୋଭିଡ ମହାମାରୀ ତାଙ୍କ ଜୀବନରେ ଆଣିଥିଲା ଏକ ଭୟଙ୍କର ଝଡ଼। ହରିୟାଣାରେ ସ୍ୱାମୀଙ୍କ ସହ ବସବାସ କରୁଥିବା ସମୟରେ ସ୍ୱାମୀଙ୍କ ଅକାଳ ମୃତ୍ୟୁ ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲା । ଦୁଇ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତା, ଅନିଶ୍ଚିତ ଆଗାମୀ ସବୁକିଛି ତାଙ୍କ ସାମ୍ନାରେ ଅନ୍ଧକାର ହୋଇଯାଇଥିଲା । ଶେଷରେ ସେ ଦୁଇ ଝିଅଙ୍କୁ ନେଇ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବ୍ରଜେଶପେଣ୍ଠା ଗାଁକୁ ଫେରିଆସିଥିଲେ।

ଗାଁକୁ ଫେରିବା ପରେ ସ୍ୱର୍ଣ୍ଣଲତାଙ୍କ ଜୀବନ ନୂଆ ମୋଡ ନେଲା। ସେ ଆଉ କେବଳ ନିଜ ପାଇଁ ଜୀବନ ଲଢ଼ିଲେ ନାହିଁ, ବରଂ ସମଗ୍ର ଗାଁ ଓ ମହିଳା ଚାଷୀଙ୍କ ପାଇଁ ଆଶାର ଆଲୋକ ହେଲେ । ଅଞ୍ଚଳର ମହିଳା ଚାଷୀଙ୍କୁ ସଂଗଠିତ କରି ସେମାନଙ୍କୁ ଜଳବାୟୁ ଅନୁକୂଳ କୃଷି ପଦ୍ଧତି ବିଷୟରେ ସଚେତନ କରିବାରେ ଲାଗିପଡ଼ିଲେ। ତାଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ମହିଳା ଚାଷୀ ନୂଆ ଚାଷ ପ୍ରଣାଳୀ ଶିଖି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ସ୍ୱର୍ଣ୍ଣଲତା ଏହି ଅଞ୍ଚଳରେ ‘ଏସଆରଆଇ’ ବା ଶ୍ରୀ ପଦ୍ଧତିର ଚାଷ ପ୍ରଚାର ଆରମ୍ଭ କରିଛନ୍ତି । ଏହା ଏକ ପରିବେଶ ମିତ୍ର ଓ ପାରମ୍ପରିକ ଚାଷ ପଦ୍ଧତି । ଯେଉଁଥିରେ କମ ବିହନ, କମ ପାଣି ଓ କମ ସାର ବ୍ୟବହାର କରି ଅଧିକ ଉତ୍ପାଦନ ସମ୍ଭବ ହୁଏ । ଏହି ପଦ୍ଧତିରେ ଛୋଟ ତଳିକୁ ଗୋଟିଏ ଗୋଟିଏ କରି ନିର୍ଦ୍ଦିଷ୍ଟ ବ୍ୟବଧାନରେ ରୋପଣ କରାଯାଏ। ଜମି ଓଦା ରହେ, କିନ୍ତୁ ପାଣି ଜମି ରହେ ନାହିଁ।

ସ୍ୱର୍ଣ୍ଣଲତାଙ୍କ କହିବା ଅନୁସାରେ, ଏସଆରଆଇ ପଦ୍ଧତିରେ ଜୈବିକ ସାର ବ୍ୟବହାର କମ ହୁଏ, ଯାହା ମାଟିର ଉର୍ବରତାକୁ ବଢ଼ାଇଥାଏ। ଧାନ ଗଛର ମୂଳ ମଜବୁତ ହୁଏ ଓ ରାସାୟନିକ ସାର ଉପରେ ନିର୍ଭରଶୀଳତା କମିଥାଏ । ସେଥିସହିତ, ଜମିରେ କମ ପାଣି ରହୁଥିବାରୁ ମିଥେନ ଗ୍ୟାସର ନିର୍ଗମନ କମିଥାଏ, ଯାହା ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପାରମ୍ପରିକ ଚାଷ ପଦ୍ଧତି ତୁଳନାରେ ଏହି ପଦ୍ଧତିରେ ପ୍ରାୟ ୨୫ ଗୁଣ ଅଧିକ ଉତ୍ପାଦନ ମିଳୁଛି। ଏହି ସଫଳତା ଆଜି ସ୍ୱର୍ଣ୍ଣଲତା ସାହୁଙ୍କୁ କେବଳ ଏକ ସଂଘର୍ଷଶୀଳ ମହିଳା ନୁହେଁ, ବରଂ ଗ୍ରାମୀଣ ଓଡ଼ିଶାରେ ଜଳବାୟୁ ସଚେତନ କୃଷିର ଏକ ଶକ୍ତ ଉଦାହରଣ ଭାବେ ପରିଚିତ କରାଇଛି।

୧୪୮ ଟି ପରିବାର ବିଶିଷ୍ଟ ଏହି ଗାଁରେ ଲୋକସଂଖ୍ୟା ୭୫୬ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ସ୍ୱର୍ଣ୍ଣଲତାଙ୍କ ଫୋକସରେ ଥିଲେ ଏହି ଚାଷୀ । ବିଶେଷ କରି ମହିଳା ଚାଷୀ । ସ୍ୱର୍ଣ୍ଣଲତାଙ୍କ କହିବା ଅନୁଯାୟୀ, ପ୍ରାରମ୍ଭରେ ସେ ଖୁବ ପ୍ରତିକୂଳ ସ୍ଥିତିର ସାମ୍ନା କରିଥିଲେ । ପ୍ରଥମେ ତ କେହି ଏହାକୁ ବିଶ୍ୱାସ କରି ନଥିଲେ । ସେ ପ୍ରଥମେ ୨୦ ଜଣ ଚାଷୀଙ୍କୁ ନେଇ ଆରମ୍ଭ କରିଥିଲେ ଶ୍ରୀ ପଦ୍ଧତିରେ ଧାନ ଚାଷ ।

ଏହି ନିଆରା ପଦ୍ଧତି ଚାଷ ପାଇଁ ଚାଷୀଙ୍କୁ ମନେଇବା ଲାଗି ସେ ପ୍ରଥମେ କମ ମହିଳାଙ୍କୁ ନେଇ ଚାଷ କାମ ଆରମ୍ଭ କରିଥିଲେ । ହେଲେ ପ୍ରଥମ ବର୍ଷରେ ଶ୍ରୀ ପଦ୍ଧତିର ସଫଳତା ଦେଖିବା ପରେ ଜଣକ ପରେ ଜଣେ ହୋଇ ୨୦ ଜଣ ଚାଷୀ ଆଗେଇ ଆସିଥିଲେ । ଏବେ ୫ ବର୍ଷ ଧରି ଏହି ଅଞ୍ଚଳରେ ଶ୍ରୀ ପଦ୍ଧତିରେ ଉଭୟ ରବି ଓ ଖରିଫ ଧାନ ଚାଷ କରାଯାଉଛି । ଆଉ ଧାନର ଅମଳ ଦେଖି ଚାଷୀ ଯେତିକି ଖୁସି, ଚାଷୀଙ୍କ ଖୁସି ଦେଖି ସ୍ୱର୍ଣ୍ଣଲତା ତାଠାରୁ ଅଧିକ ଖୁସି ।

ଚାଷ ଦେଲା ନୂଆ ପରିଚୟ :

ସ୍ୱର୍ଣ୍ଣଲତାଙ୍କ ନିଜ ଘର ବ୍ରଜେଶପେଣ୍ଠାରେ । ବ୍ରଜେଶପେଣ୍ଠା ନିକଟବର୍ତ୍ତୀ ମାଣ୍ଡିଆପାଲି ତାଙ୍କ ଶାଶୁ ଘର । ବିବାହ ପରେ ସେ ଯୁକ୍ତ ଦୁଇ ପରୀକ୍ଷା ଦେଇ ପାସ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ମାଣ୍ଡିଆପାଲିରେ ଦୁଇ ଝିଅ, ଶାଶୁ, ଶ୍ୱଶୁରଙ୍କ ସହ ରହୁଛନ୍ତି । ପିଲାମାନେ ପାଖ ସ୍କୁଲରେ ପଢ଼ୁଛନ୍ତି।

ସ୍ୱର୍ଣ୍ଣଲତା ଗ୍ରାମରେ କାର୍ଯ୍ୟରତ NGO ‘ଲିପିକା’ ସହଯୋଗରେ ECRICC (Enhancing Climate Resilience of India’s Coastal Communities) ପ୍ରକଳ୍ପର ସଦସ୍ୟ ଭାବେ ଯୋଗଦେଇଥିଲେ । ପରିବେଶ ସୁରକ୍ଷା ଓ ଜଳବାୟୁ ସହନଶୀଳ ଚାଷ ପ୍ରଣାଳୀରେ ତାଙ୍କର ସକ୍ରିୟ ଭୂମିକାକୁ ଦୃଷ୍ଟିରେ ରଖି ECRICC ପକ୍ଷରୁ ତାଙ୍କୁ ‘କ୍ଲାଇମେଟ ଚମ୍ପିଆନ’ ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି ସମ୍ମାନ କେବଳ ମହିଳାମାନଙ୍କୁ ମିଳିଥାଏ ।

ECRICC ପ୍ରକଳ୍ପ ଅଧୀନରେ ଗ୍ରୀନ କ୍ଲାଇମେଟ ଫଣ୍ଡ, ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଙ୍କ ସହଯୋଗରେ ପରିବେଶ ବନ୍ଧୁ ଓ ଜଳବାୟୁ ସହନଶୀଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦିଆଯାଏ। ଏହାସହ ମହିଳା ସଶକ୍ତିକରଣକୁ ଆଗକୁ ନେବା ଉଦ୍ଦେଶ୍ୟରେ ‘କ୍ଲାଇମେଟ ଚମ୍ପିଆନ’ ଭାବେ ମହିଳାମାନଙ୍କୁ ନିଯୁକ୍ତ କରାଯାଉଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୩୦୪ ଜଣ କ୍ଲାଇମେଟ ଚମ୍ପିଆନ କାର୍ଯ୍ୟରତ ଥିବା ବେଳେ, ସ୍ୱର୍ଣ୍ଣଲତାଙ୍କ ପରି ମହିଳାମାନେ ଗ୍ରାମୀଣ ସ୍ତରରେ ପରିବେଶ ସୁରକ୍ଷା ଓ ସୁସ୍ଥାୟୀ ଜୀବିକା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score