Explore

Search

February 20, 2026 3:38 am

ଗୋଳନ୍ଥରାରେ ରେଳକୋଚର ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତୁତି : ଖୋଲିବ ନିଯୁକ୍ତିର ନୂତନ ଦ୍ୱାର

ବ୍ରହ୍ମପୁର : ଗୋଳନ୍ଥରାରେ ରେଳକୋଚର ରକ୍ଷଣାବେକ୍ଷଣ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣିଜ୍ୟିକ ଓ ଯାତାୟାତ କେନ୍ଦ୍ର ବ୍ରହ୍ମପୁର ପାଇଁ ରେଳ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି । ସହର ନିକଟବର୍ତ୍ତୀ ଗୋଳନ୍ଥରା ଅଞ୍ଚଳରେ ଏନେଇ ଏକ ଆଧୁନିକ ରେଳ କୋଚ ରକ୍ଷଣାବେକ୍ଷଣ କେନ୍ଦ୍ର ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପଦକ୍ଷେପ ଫଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତିର ନୂତନ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି ।

ରେଳ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗୋଳନ୍ଥରା ଅଞ୍ଚଳରେ ପ୍ରସ୍ତାବିତ ଏହି ପ୍ଲାଣ୍ଟଟି ବ୍ରହ୍ମପୁର ରେଳଷ୍ଟେସନରୁ ପ୍ରାୟ ୧୦.୭ କିଲୋମିଟର ଦୂରରେ ରହିବ। ବର୍ତ୍ତମାନ ବ୍ରହ୍ମପୁର ଷ୍ଟେସନରେ ଆରମ୍ଭ ହେଉଥିବା ବିଭିନ୍ନ ଟ୍ରେନର କୋଚ ଗୁଡ଼ିକ ପ୍ଲାଟଫର୍ମରେ ଦୀର୍ଘ ସମୟ ରହିବାରୁ ଯାତାୟାତ ଓ ପରିଚାଳନାରେ ବାଧା ସୃଷ୍ଟି ହେଉଥିଲା । ନୂତନ କେନ୍ଦ୍ର ଚାଲୁ ହେଲେ ଏହି ସମସ୍ୟାର ସମାଧାନ ହେବ।

ଏହି କୋଚିଂ ଡିପୋରେ ଟ୍ରେନ ଗୁଡ଼ିକୁ ସଫା କରାଯିବା ସହ ପରୀକ୍ଷା ଓ ନିୟମିତ ରକ୍ଷଣାବେକ୍ଷଣ କାମ ସମ୍ପାଦିତ ହେବ। ଫଳସ୍ୱରୂପ, ବ୍ରହ୍ମପୁର ୟାର୍ଡର ଭିଡ଼ କମିବା ସହ ଟ୍ରେନ ଚଳାଚଳ ଆହୁରି ସୁଚାରୁ ହେବ। ଭବିଷ୍ୟତରେ ଟ୍ରେନ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ଯୋଜନା କରାଯାଇଛି ।

ଏପର୍ଯ୍ୟନ୍ତ ପ୍ରାଥମିକ ସର୍ଭେ ପାଇଁ ଅନୁମୋଦନ ମିଳିଥିବା ବେଳେ ସ୍ଥଳ ପରିସ୍ଥିତି, ଜମିର ଉପଲବ୍ଧତା ଓ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ବିସ୍ତୃତ ଅଧ୍ୟୟନ କରାଯାଇଛି। ଏହା ଆଧାରରେ ଏକ ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (ଡିପିଆର୍) ରେଳ ବୋର୍ଡଙ୍କୁ ପ୍ରେରଣ କରାଯାଇଛି। ମଞ୍ଜୁରି ପରେ ନିର୍ମାଣ କାମ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହି ସାଟେଲାଇଟ କୋଚିଂ ଡିପୋ ସ୍ଥାପନ ହେଲେ ବ୍ରହ୍ମପୁର ଅଞ୍ଚଳର ରେଳ ଢାଞ୍ଚା ଆହୁରି ଶକ୍ତିଶାଳୀ ହେବା ସହିତ ଯାତ୍ରୀମାନେ ମଧ୍ୟ ଉନ୍ନତ ସେବାର ଲାଭ ଉଠାଇପାରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score