ବ୍ରହ୍ମପୁର : ଏଣିକି ମାଗଣାରେ ମିଳିବ ସିଭିଲ ସର୍ଭିସ କୋଚିଂ । ଏନେଇ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ। ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମାଗଣା କୋଚିଂ ଓ ମାର୍ଗଦର୍ଶନ ଦେବାକୁ ସ୍ଥିର ହୋଇଛି । ଏହାର ନାମ ରଖାଯାଇଛି ‘ଲକ୍ଷ୍ୟ ନିକେତନ’ । ତେବେ ଆଗାମୀ ନୂତନ ବର୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଫ୍ଲାଗସିପ ପଦକ୍ଷେପ ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ । ୟୁପିଏସି ଏବଂ ଓପିଏସି ଭଳି ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀଙ୍କୁ ଏଥିରେ ସାମିଲ କରାଯିବ ।
ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କିର୍ତ୍ତୀ ଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଗଞ୍ଜାମ ଲକ୍ଷ୍ୟ ନିକେତନ ଓ ତାହାର ଲକ୍ଷ୍ୟ ଉପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କିର୍ତ୍ତୀ ଭାସନ । ଗଞ୍ଜାମ ଜିଲ୍ଲାର ପ୍ରତିଭାଶାଳୀ ଯୁବକ ମାନଙ୍କୁ ଚିହ୍ନଟ, ପ୍ରୋତ୍ସାହନ ଏବଂ ସଶକ୍ତ କରି, ନିଃଶୁଳ୍କ, ସଂରଚିତ ଓ ଉଚ୍ଚ ଗୁଣମାନର ମାର୍ଗ ଦର୍ଶନ ମାଧ୍ୟମରେ ୟୁପିଏସସି ଏବଂ ଓପିଏସସି ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀ କିପରି ସଫଳତା ଲାଭ କରି ସକ୍ଷମ ହେବେ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କିର୍ତ୍ତୀ ଭାସନ ।
ଜିଲ୍ଲାର କେଉଁ ସ୍ଥାନରେ ଦିଆଯିବ ଏହି ତାଲିମ :
ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ଲକ୍ଷ୍ୟ ନିକେତନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ତିନୋଟି ସ୍ଥାନ ଚୟନ କରାଯାଇଛି । ପ୍ରତି ଶିକ୍ଷାକେନ୍ଦ୍ରରେ ୫୦ଜଣଙ୍କୁ ଶିକ୍ଷା ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ୟୁପିଏସସି ଏବଂ ଓପିଏସସି ପାଇଁ ଯୋଜନା କରାଯାଇଥିବା ବେଳେ ଆଗାମୀ ଦିନର ଏଥିସହିତ ଓଏସଏସସି, ଏସଏସସି, ଆର୍ମି ରିକ୍ୟୁଟମେଣ୍ଟ ରାଲି ନିମନ୍ତେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ଯୋଜନା ରହିଛି । ପ୍ରତି ଶିକ୍ଷାକେନ୍ଦ୍ରରେ ୫୦ ଜଣଙ୍କୁ ଶିକ୍ଷା ପ୍ରଦାନ କରାଯିବ । ଆସନ୍ତା ବର୍ଷ ୨୦୨୬ ଫେବୃୟାରୀ ମାସରୁ ଏହି କୋଚିଂ କ୍ଲାସ ଆରମ୍ଭ ହେବ । ଯୋଗ୍ୟ ପ୍ରାର୍ଥୀମାନେ ପୋର୍ଟାଲ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ । ଏପରିକି ପ୍ରତି କେନ୍ଦ୍ରରେ ୫୦ପ୍ରତିଶତ ମହିଳା ପ୍ରାର୍ଥୀଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ।
କ’ଣ ରହିଛି ସୁବିଧା :
ଗଞ୍ଜାମ ଲକ୍ଷ୍ୟ ନିକେତନ ମୁଖ୍ୟତଃ ନିଃଶୁଳ୍କ ଅଧ୍ୟୟନ ରହିଥିବା ବେଳେ ଏଥିରେ ସମସ୍ତ ସାମଗ୍ରୀ ସହିତ ଆଧୁନିକ ପୁସ୍ତକାଳୟ ସହିତ ଇ-ଲାଇବ୍ରେରୀର ସୁବିଧା ମଧ୍ୟ ଉପଲ୍ଲବ୍ଧ ରହିବ । ଏପରିକି ପିଲାମାନଙ୍କ ପାଇଁ ନିଃଶୁଳ୍କ ପ୍ରଶିକ୍ଷଣ, ଲାଇଭ ଇଣ୍ଟରଆକ୍ଟିଭ ସେସନ ସହିତ ସଂରଚିତ ଭର୍ଚୁଆଲ କ୍ଲାସରୁମ କାର୍ଯ୍ୟକ୍ରମ, ନିଃଶୁଳ୍କ ଅଧ୍ୟୟନ ସାମଗ୍ରୀ ସହିତ ଆଧୁନିକ ପୁସ୍ତକାଳୟ ଓ ଇ-ଲାଇବ୍ରେରୀର ସୁବିଧା ରହିଛି ।
ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ :
ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଏଭଳି ଫ୍ଲାଗସିପ ପଦକ୍ଷେପ ଗଞ୍ଜାମ ଲକ୍ଷ୍ୟ ନିକେତନ ରହିଥିବା ବେଳେ ସବୁ କେନ୍ଦ୍ରରେ ଜିଲ୍ଲାରେ କାର୍ଯ୍ୟରତ ଆଇଏଏସ୍, ଓଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ଠାରୁ ବ୍ରହ୍ମପୁର ନିକଟରେ ରହିଥିବା ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ଅଧିକାରୀମାନେ ଏହି କେନ୍ଦ୍ରରେ ନିୟମିତ ବ୍ୟବଧାନରେ ଯାଇ ବିଦ୍ୟାର୍ଥୀଙ୍କ ସହିତ କିପରି ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ହେବେ ତାହାକୁ ଦୃଷ୍ଟି ରଖାଯିବ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କିର୍ତ୍ତୀ ଭାସନଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସମଗ୍ର ବ୍ରହ୍ମପୁର ଓ ଗଞ୍ଜାମବାସୀ । ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କିର୍ତ୍ତୀ ଭାସନ ଏଭଳି ପଦକ୍ଷେପ ନେଇଥିବାରୁ ଅଭିଭାବକମାନେ ଖୁସିବ୍ୟକ୍ତ କରିବାସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
