Explore

Search

February 28, 2026 10:28 pm

ଗଞ୍ଜାମର ପୁରାତନ ପରମ୍ପରା ‘ଡେରା ବେଶ’

ଗଞ୍ଜାମ : କଳା, ସଂସ୍କୃତି ଏବଂ ପରମ୍ପରାର ଗନ୍ତାଘର ହେଉଛି ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ । ଏହି ଅଞ୍ଚଳ ହଜାର ହଜାର ବର୍ଷର ସଂସ୍କୃତି ଏବଂ ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ଏଠିକାର ସ୍ଥାନୀୟ ଲୋକେ। ଭଞ୍ଜବଂଶୀୟ ରାଜାଙ୍କ ଦ୍ବାର ପ୍ରଚଳିତ ଘୁମୁସର ଅଞ୍ଚଳର ଦଣ୍ଡନାଚ ଠାରୁ ଆରମ୍ଭ କରି ପଶୁମୁଖା ନୃତ୍ୟ, ବାଘ ନୃତ୍ୟ ଏବଂ ବିଭିନ୍ନ ପୌରାଣିକ ନୃତ୍ୟ ସବୁଠାରୁ ଅନ୍ୟତମ । ଏହି ସବୁ ଭିତରେ ଭଞ୍ଜନଗର ବଡକୋଦଣ୍ଡା ଗାଁର ୧୨ଶହ ବର୍ଷର ଅତ୍ୟନ୍ତ ପୁରାତନ ଏବଂ ସୁପରିଚିତ ପରମ୍ପରା ହେଲା ‘ଡେରା ବେଶ’। ତେବେ ‘ଡ଼େରା’ ଅର୍ଥ ହେଉଛି ଡେରିବା ବା ବାନ୍ଧିବା । ଏଠାରେ ବିରାଟ କାଠରେ ନିର୍ମିତ ମୂର୍ତ୍ତି ଗୁଡ଼ିକୁ ଗାଁ ଦାଣ୍ଡରେ ଡ଼େରା ହୋଇଥିବାରୁ ଏହାକୁ ‘ଡେରା ବେଶ’ ବୋଲି କୁହାଯାଏ ।

ତେବେ କ’ଣ ଏହି ‘ଡେରା ବେଶ’ ପରମ୍ପରା : ଏହି ଡେରା ବେଶ ଦେଖିବାକୁ ମଧ୍ୟ ଖୁବ ଆକର୍ଷଣୀୟ । ଗାଁର ମୁଖ୍ୟ ରାସ୍ତାର ଗୋଟିଏ ପଟେ ରାମ, ଲକ୍ଷ୍ମଣ, ହନୁମାନଙ୍କ ଅନ୍ୟପଟେ ରାବଣ, ଇନ୍ଦ୍ରଜିତ, ମେଘନାଦଙ୍କ ଭଳି ଅନେକ ଚରିତ୍ର ଦେଖିବାକୁ ମିଳେ । ଏହି ମୂର୍ତ୍ତି ଗୁଡିକୁ ଦେଖିଲେ ସତେ ଯେମିତି କେଉଁ ପୌରାଣିକ ଯୁଦ୍ଧର ରଣକ୍ଷେତ୍ର ଭଳି ଅନୁଭୂତ ହୋଇଥାଏ l କୁହାଯାଏ ଏହି ବେଶ ହେଉଛି ଏସିଆ ମହାଦେଶର ବୃହତ୍ତମ କଣ୍ଢେଇ ମୂର୍ତ୍ତି । ଏପରିକି ୧ କିଲୋମିଟର ପରିବ୍ୟାପ୍ତ ରାସ୍ତା ଉପରେ ଦୁଇ ପାର୍ଶ୍ୱରେ ଦୁଇଟି ବିଶାଳକାୟ ହାତୀ, ଏହାପଛରେ ସୁବର୍ଣ୍ଣମୁଖୀ ସିଂହ, ବ୍ୟାଘ୍ର, ଅଶ୍ୱ, କଳା ଘୋଡା, ବୃଷଭ ଏବଂ ଶେଷରେ ନବଗୁଞ୍ଜ ଭଳି ଅନେକ ଚରିତ୍ର ଦେଖିବାକୁ ମିଳେ । ଏହା କେବଳ ଏକ କାଠ କଣ୍ଢେଇ ପ୍ରଦର୍ଶନୀ ନୁହେଁ, ଏହା ହେଉଛି ସ୍ଥାନୀୟ କାରିଗରମାନଙ୍କ ନିପୁଣତାର ପ୍ରତିଛବି । ମୁଖ୍ୟତଃ ପାଳଧୁଆ କାଠରେ କେଉଁ କାଳରୁ ନିର୍ମିତ ହୋଇଥିବା ଏହି କଣ୍ଢେଇ ଗୁଡ଼ିକୁ ଗାଁ ଦାଣ୍ଡରେ ଡେରି କରି ଅର୍ଥାତ୍ ବନ୍ଧାଯାଇ ପ୍ରଦର୍ଶନୀ କରାଯାଉଥିବାରୁ ଏହାକୁ ‘ଡ଼େରା ବେଶ’ ବୋଲି କୁହାଯାଇଥାଏ ।
୧୨ ଶହ ବର୍ଷର ପୁରାତନ ପରମ୍ପରା ‘ଡେରା ବେଶ’ । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏହି ‘ଡେରା ବେଶ’ ଯାତ୍ରା ଗଞ୍ଜାମକୁ ପୁରା ଦୁଲକେଇ ଦିଏ । କୁହାଯାଏ ଏହି ବେଶ ହେଉଛି ଏସିଆ ମହାଦେଶର ବୃହତ୍ତମ କଣ୍ଢେଇ ମୂର୍ତ୍ତି । ଏପରିକି ଏକ କିଲୋମିଟର ପରିବ୍ୟାପ୍ତ ରାସ୍ତା ଉପରେ ଦୁଇ ପାର୍ଶ୍ୱରେ ଦୁଇଟି ବିଶାଳକାୟ ହାତୀ, ଏହାପଛରେ ସୁବର୍ଣ୍ଣମୁଖୀ ସିଂହ, ବ୍ୟାଘ୍ର, ଅଶ୍ୱ, କଳା ଘୋଡା, ବୃଷଭ ଏବଂ ଶେଷରେ ନବଗୁଞ୍ଜର ଭଳି ଅନେକ ଚରିତ୍ର ଦେଖିବାକୁ ମିଳେ । ଏହା କେବଳ ଏକ କାଠ କଣ୍ଢେଇ ପ୍ରଦର୍ଶନୀ ନୁହେଁ, ଏହା ହେଉଛି ସ୍ଥାନୀୟ କାରିଗରଙ୍କ ନିପୁଣତାର ପ୍ରତିଛବି ।

ପୂର୍ବ କାଳରେ ଲୋକମାନେ ଆଧ୍ୟାତ୍ମିକ ଚିନ୍ତା ଚେତନାରେ ମନୋରଞ୍ଜନ ପାଇଁ ବିଭିନ୍ନ ବେଶ ନିର୍ମାଣ କରୁଥିଲେ । ଯାହାକୁ ପ୍ରଦର୍ଶନ କରିବା ପାଇଁ ରାସ୍ତା ଘାଟରେ ଡେରୁଥିଲେ ଅର୍ଥାତ ବାନ୍ଧୁ ଥିଲେ । ପୂର୍ବ ସମୟରେ ପ୍ରଭୁ ଶ୍ରୀରାମଙ୍କ ଚେତନା ବହୁ ମାତ୍ରାରେ ପ୍ରଚାରିତ ହେଉଥିଲା । ସେହି ମୂର୍ତ୍ତି ଗୁଡ଼ିକୁ ପ୍ରସ୍ତୁତ କରୁଥିବା ମହାରଣାମାନଙ୍କ ଅନେକ ନିପୂଣ ରହିଥିଲେ । “ଡେରା ବେଶ” ଦେଖିବା ପାଇଁ ଆଖପାଖା ଗାଁରୁ ଲୋକଙ୍କ ସୁଅ ଛୁଟିଥାଏ । ଗ୍ରାମର ଗୋପୀନାଥ, ଜଗନ୍ନାଥ, ରଘୁନାଥ ଓ ଶିବ ମନ୍ଦିର ପକ୍ଷରୁ ଗୋଟିଏ ଦିନ ପାଇଁ ଏହାକୁ ପ୍ରଦର୍ଶିତ କରାଯାଇଥାଏ । ଶତାଧିକ ବର୍ଷର ପୁରାତନ ପରମ୍ପରାକୁ ଏବେ ବି ବଞ୍ଚାଇ ରଖିଛନ୍ତି ବଡ଼କୋଦଣ୍ଡାବାସୀ । ହେଲେ ଅତୀତର ଆଉ ସେ ଚମକ ଦେଖିବାକୁ ମିଳୁନାହିଁ । ଘୁମୁସର ଅଞ୍ଚଳର ଏଭଳି ଏକ ଗ୍ରାମର ଗୌରବମୟ କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ କାରିଗରଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡିଲେ ,ଆଗାମୀ ଦିନରେ ଏହି ‘ଡେରା ବେଶ’ ପରିବ୍ୟାପ୍ତ ହୋଇପାରନ୍ତା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score