Explore

Search

March 3, 2026 10:29 pm

ଗଞ୍ଜାମର ଐତିହାସିକ ଦୋଳଯାତ୍ରାରେ ଭକ୍ତିର ମହାମେଳଣ

ଗଞ୍ଜାମ : ଗଞ୍ଜାମ ସହରର ପ୍ରସିଦ୍ଧ ଓ ପାରମ୍ପରିକ ପର୍ବ ଦୋଳଯାତ୍ରା। ଭକ୍ତି, ସଂସ୍କୃତି ଓ ଭାଇଚାରାର ଏକ ଅଦ୍ଭୁତ ଉଦାହରଣ ଭାବେ ପରିଚିତ । ପ୍ରାୟ ୪୦୦ ବର୍ଷ ଧରି ଚାଲିଆସୁଥିବା ଏହି ଯାତ୍ରା ଗଞ୍ଜାମର ଐତିହ୍ୟକୁ ଆଜିବି ଜୀବନ୍ତ ରଖିଛି। ବରିଷ୍ଠ ନାଗରିକମାନଙ୍କ କହିବା ଅନୁଯାୟୀ, ପାଞ୍ଚଟି ଗାଁର ୧୬ଟି ଠାକୁରଙ୍କୁ ନେଇ ପ୍ରତିବର୍ଷ ଏହି ମହାଯାତ୍ରା ଆୟୋଜିତ ହୋଇଥାଏ। ଫଗୁଣ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଭକ୍ତିମୟ ପରିବେଶରେ ଯାତ୍ରା ଅନୁଷ୍ଠିତ ହୁଏ।

ଇତିହାସ ଅନୁଯାୟୀ, ବୃନ୍ଦାବନରେ ୪୫ ଦିନ ଧରି ଦୋଳଯାତ୍ରା ପାଳନ ହେଉଥିଲା। ସାମନ୍ତରାସାହିର ସାମନ୍ତରା ବଂଶର ଆଧ୍ୟାତ୍ମିକ ପୁରୁଷ ଗଦାଧର ସାମନ୍ତରା ବୃନ୍ଦାବନରୁ ଗୋପାଳଜୀଙ୍କ ପ୍ରତିମା ମସ୍ତକରେ ଧରି ପଦଯାତ୍ରା କରି ଗଞ୍ଜାମକୁ ଆଣିଥିବା କଥା ଚର୍ଚ୍ଚିତ। ସେଥିଠାରୁ ଗଞ୍ଜାମରେ ପାଞ୍ଚ ଦିନ ଧରି ଦୋଳଯାତ୍ରା ପାଳନର ପରମ୍ପରା ଆରମ୍ଭ ହୋଇଥିଲା। ପରେ ପ୍ରତ୍ୟେକ ସାହିରେ ବିଷ୍ଣୁ ମନ୍ଦିର ପ୍ରତିଷ୍ଠା ସହ ଯାତ୍ରା ଆହୁରି ବିସ୍ତାର ପାଇଥିଲା।

  • ଗଞ୍ଜାମ ଦୋଳଯାତ୍ରାର ସବୁଠୁ ବଡ଼ ବିଶେଷତା ହେଉଛି ସମସ୍ତ ଜାତି ଓ ସମ୍ପ୍ରଦାୟର ଲୋକଙ୍କ ସମାନ ଭାଗିଦାରି।
  • ଗୌଡ଼ ସମ୍ପ୍ରଦାୟ ମୁଖ୍ୟ ଠାକୁରଙ୍କ ଦୋଳିକୁ କାନ୍ଧରେ ଧରି ପରିକ୍ରମା କରନ୍ତି ।
  • ଅନୁସୂଚିତ ଜାତିର ଲୋକ ଚାଙ୍ଗୁ ବଜାଇ ଶୋଭାଯାତ୍ରାର ରୂପକୁ ଆକର୍ଷଣୀୟ କରନ୍ତି।
  • ସେମାନେ ମହାପ୍ରଭୁଙ୍କ ଛତା, ତରାସ ଓ ଦୁଆରଗେଡ଼ା ଧରିବାର ପରମ୍ପରାକୁ ଆଜିବି ରକ୍ଷା କରୁଛନ୍ତି।
  • ବାରିକ ସମ୍ପ୍ରଦାୟ ଦିହୁଡ଼ି ଧରୁଥିବା ବେଳେ ବ୍ରାହ୍ମଣମାନେ ପୂଜାପାଠ କରନ୍ତି।
  • ଗୋଲା ସମ୍ପ୍ରଦାୟର ଲୋକ କାହାଳୀ ବଜାଇ ଯାତ୍ରାକୁ ଉତ୍ସବମୟ କରନ୍ତି।

ଏହି ଯାତ୍ରା ସହ ଗଞ୍ଜାମର ବିଭିନ୍ନ ଲୋକକଳା ଜଡିତ ରହିଛି । ଫଗୁ ଖେଳ, ରାଜାଗ୍ନି ପରମ୍ପରା ଓ ଦୋଳବିମାନ ଯାତ୍ରାର ପ୍ରମୁଖ ଆକର୍ଷଣ। ବିଶେଷ କରି ଦୋଳବିମାନ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସନ୍ତି।

ପୂର୍ବରୁ ଏହି ଯାତ୍ରା ସମୟରେ ଜାତୀୟ ରାଜପଥ ପ୍ରାୟ ୩୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହୁଥିଲା, ଯାହା ଦେଶର ଅନ୍ୟ କେଉଁଠି ଦେଖିବାକୁ ମିଳୁନଥିଲା। କିନ୍ତୁ ବର୍ତ୍ତମାନ ବାଇପାସ ରାସ୍ତା ନିର୍ମାଣ ପରେ ରାଜପଥକୁ ବନ୍ଦ କରିବାର ଆବଶ୍ୟକତା ରହୁନି, ଯାହା ଯାତାୟାତକୁ ସୁବିଧାଜନକ କରିଛି।

ଆଜି ୧୬ ଠାକୁରଙ୍କ ମହାମେଳଣ ଅବସରରେ ଗଞ୍ଜାମ ସହର ଭକ୍ତିର ରଙ୍ଗରେ ରଙ୍ଗାଇଯାଇଥିଲା। ଢୋଳ, ନିଶାନ ଓ କାହାଳୀର ଧ୍ୱନିରେ ପରିବେଶ ମୁଗ୍ଧ ହୋଇଯାଇଥିଲା। ହଜାର ହଜାର ଭକ୍ତଙ୍କ ଭିଡ଼ ମଧ୍ୟରେ ଦୋଳଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।

ଗଞ୍ଜାମର ଏହି ଐତିହାସିକ ଦୋଳଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ସାମ୍ପ୍ରଦାୟିକ ସମ୍ମିଳନ ଓ ସମାଜିକ ଏକତାର ପ୍ରତୀକ ଭାବେ ଆଜିବି ଲୋକମନଙ୍କ ହୃଦୟରେ ସ୍ଥାନ ଦଖଲ କରିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score