Explore

Search

March 3, 2026 12:00 pm

ଖୋଲିଲା ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର

Ratna Bhandar

୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ପଶିଲେ ହାଇଲେବଲ୍ କମିଟି । ଷ୍ଟ୍ରଙ୍ଗରୁମକୁ ବାହାର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର । ରଥଯାତ୍ରା ପରେ ହେବ ଭିତର ଭଣ୍ଡାର ଅଳଙ୍କାର ସିଫ୍ଟିଂ ।

ଦୀର୍ଘ ପାଞ୍ଚ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ହୋଇଛି , ଖୋଲିଛି ଶ୍ରୀମନ୍ଦିରର ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର। ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ୧୧ଜଣିଆ ହାଇଲେବଲ କମିଟି, ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ବାହାର ଭଣ୍ଡାର ତାଲା ଚାବିରେ ଖୋଲିଥିବାବେଳେ ଭିତର ଭଣ୍ଡାର ତାଲା ଭଙ୍ଗା ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଆଜି ବାହାର ଭଣ୍ଡାର ରତ୍ନ ଅଳଙ୍କାର ସବୁ ସ୍ଥାନାନ୍ତର ହୋଇଛି, ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ଆଉ କୌଣସି ଏକ ଦିନ ହେବ।

ବାହାର ରତ୍ନଭଣ୍ଡାର ସହଜରେ ଖୋଲିଗଲା । ହେଲେ ଭିତର ଭଣ୍ଡାର ତାଲା ଖୋଲିବାକୁ ନାକେଦମ୍ ହେବାକୁ ପଡ଼ିଲା । ଶେଷରେ ତିନିଟି ଯାକ ତାଲା ଭଙ୍ଗାଗଲା । ବାହାର ଭଣ୍ଡାରର ଅଳଙ୍କାର ସିଫ୍ଟ ହେଲା । ପ୍ରଚଣ୍ଡ ଆବେଗ, ପ୍ରବଳ ଉତ୍କଣ୍ଠା ଭିତରେ ଆଜି ଖୋଲିଛି ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ରତ୍ନଭଣ୍ଡାର। ମାହେନ୍ଦ୍ର ବେଳା ଦିନ ଗୋଟାଏ ୨୮ ମିନିଟ୍। ସେଇ ଶୁଭ ମୁହୂର୍ତ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ପଶିଥିଲେ ୧୧ ଜଣିଆ ହାଇଲେବଲ୍ କମିଟି। କେମିତି ସ୍ଥିତିରେ ଅଛି ଶ୍ରୀଜିଉଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ? କେଉଁ ଅବସ୍ଥାରେ ଅଛି ବର୍ଷ ବର୍ଷ ଧରି ରହସ୍ୟମୟ ହୋଇ ରହିଥିବା ଭଣ୍ଡାର ଘର ? ଦୀର୍ଘ ୪ଘଣ୍ଟା ଧରି ଅନୁଧ୍ୟାନ କରିବା ପରେ ଉତ୍କଣ୍ଠାନର ଅବସାନ ଘଟାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇ କହିଥିଲେ- ଯେହେତୁ ପୁରୀ ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ଭଣ୍ଡାରର କୌଣସି ଗୋଟିଏ ବି ତାଲା ଖୋଲିଲା ନାହିଁ,  ଏସଓପି ଅନୁସାରେ ସମସ୍ତ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା। ବାହାର ଭଣ୍ଡାରର ସମସ୍ତ ଅଳଙ୍କାର ଆଜି ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର ହୋଇଯାଇଛି।

 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score