ତେହରାନ : ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଇରାନ ତାର ରଣନୀତିରେ ନୂତନ ପରିବର୍ତ୍ତନର ସଙ୍କେତ ଦେଇଛି । ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ ପଡ଼ୋଶୀ ଉପସାଗରୀୟ ଦେଶ ଗୁଡ଼ିକ ସହ ସମ୍ପର୍କ ସୁଧାରିବା ପାଇଁ କ୍ଷମା ପ୍ରାର୍ଥନା କରିଥିବା ଖବର ମିଳିଛି । ପୂର୍ବରୁ ହୋଇଥିବା ମିସାଇଲ ଆକ୍ରମଣ ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି ।
ଇସ୍ରାଏଲ ଓ ଆମେରିକାଙ୍କ ଆକ୍ରମଣ ପରେ ଇରାନ କିଛି ପଡ଼ୋଶୀ ଦେଶକୁ ଲକ୍ଷ୍ୟ କରି ମିସାଇଲ୍ ମାଡ଼ କରିଥିଲା। ଏହାପରେ ଅଞ୍ଚଳରେ ଉତ୍ତେଜନା ଅଧିକ ବଢ଼ିଥିଲା। ବର୍ତ୍ତମାନ ଏହି ପରିସ୍ଥିତିକୁ ଶାନ୍ତ କରିବା ପାଇଁ ତେହରାନ ତାର ନୀତିରେ ସଂଯମ ଆଣିବାକୁ ଚେଷ୍ଟା କରୁଛି।
ରାଷ୍ଟ୍ରପତି ପେଜେଶକିଆନ କହିଛନ୍ତି ଯେ, ଯଦି ପଡ଼ୋଶୀ ଦେଶମାନଙ୍କ ପକ୍ଷରୁ କୌଣସି ଆକ୍ରମଣ ହେବ ନାହିଁ, ତେବେ ଇରାନ ମଧ୍ୟ ସେମାନଙ୍କ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବ ନାହିଁ । ଏହାସହିତ ସେ ଉଲ୍ଲେଖ କରିଛନ୍ତି ଯେ, ଇରାନର ଉଚ୍ଚସ୍ତରୀୟ ନେତୃତ୍ୱ ପରିଷଦ ଏହି ମାମଲାରେ ସଂଯମ ରଖିବାକୁ ନିଷ୍ପତ୍ତି ନେଇଛି।
ତଥାପି ସେ ସ୍ପଷ୍ଟ କରିଛନ୍ତି ଯେ, ଇରାନ କୌଣସି ଦେଶ ସମ୍ମୁଖରେ ମୁଣ୍ଡ ନୁଆଇବ ନାହିଁ ଓ ଦେଶର ସୁରକ୍ଷାକୁ ସବୁଠାରୁ ଆଗରେ ରଖିବ । ଆମେରିକାର କେତେକ ଦାବିକୁ ମଧ୍ୟ ସେ ଖାରଜ କରିଥିବା ଖବର ମିଳିଛି।
ଅନ୍ୟପଟେ, ଅଞ୍ଚଳରେ ଦୀର୍ଘ ସମୟ ଧରି ଚାଲୁଥିବା ସଂଘର୍ଷ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ଘଟଣା ଉତ୍ତେଜନାକୁ ଆହୁରି ବଢ଼ାଇଛି । ତେହରାନରେ ହୋଇଥିବା ଆକ୍ରମଣରେ ସେ ଓ ତାଙ୍କ ପରିବାରର କିଛି ସଦସ୍ୟ ମୃତ୍ୟୁବରଣ କରିଥିବା ଖବର ମିଳିଛି।
ଏହି ଘଟଣା ପରେ ଉପସାଗରୀୟ ଅଞ୍ଚଳର କେତେକ ଦେଶ ଦୁବାଇ, ଆବୁଧାବି, କତାର, କୁଏତ ଓ ବାହାରିନ ଉପରେ ମିସାଇଲ ଆକ୍ରମଣ ଘଟିଥିବା ଖବର ସାମ୍ନାକୁ ଆସିଛି । ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଏକ ସାମରିକ ଅଭିଯାନ ଚାଲାଇଥିଲେ, ଯାହାକୁ “ଅପରେସନ୍ ଏପିକ୍ ଫ୍ୟୁରି” ବୋଲି ନାମକରଣ କରାଯାଇଥିଲା।
ଇରାନର ପରମାଣୁ କାର୍ଯ୍ୟକଳାପକୁ ନେଇ ଆମେରିକା ଓ ଇସ୍ରାଏଲ ଏହି ଅଭିଯାନ ଚଲାଇଥିବା ଦାବି କରିଥିଲେ। ଏହାପରଠୁ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଆହୁରି ଅସ୍ଥିର ହୋଇ ପଡ଼ିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
