କୋରାପୁଟ : କୋରାପୁଟ ଚାଷୀଙ୍କ ମୁଁହରେ ହସ ଫୁଟାଇଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ । ଚାଷୀଙ୍କୁ ଆର୍ଥିକ ସ୍ଥିତିରେ ଆହୁରି ମଜବୁତ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ବଡ ପଦକ୍ଷେପ ନେଇଛନ୍ତି । ଆଉ ଏହାପରେ କୋରାପୁଟ ଚାଷୀ ୨ ପଇସା ଭଲ ରୋଜଗାର କରିପାରିବେ ବୋଲି ଏବେ ଆଶା ବାନ୍ଧିଛନ୍ତି ।
ଓଡିଶାର କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଅଦା ଓ କଳାଜିରା ଚାଉଳ ଏବେ ଅନ୍ୟ ରାଜ୍ୟର ବଜାରକୁ ପହଞ୍ଚିଛି । ଏହାର ଫଳରେ ଜିଲ୍ଲାର ଚାଷୀମାନେ ଭଲ ରୋଜଗାର ପାଇବାର ଆଶା ରଖିଛନ୍ତି। ସ୍ଥାନୀୟ ସ୍ଵେଚ୍ଛାସେବୀ ସଂସ୍ଥା “ପ୍ରଗତି” ଓ “ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ”ର ସହଯୋଗରେ ବଡ଼ ପରିମାଣର ଅଦା ଓ କଳାଜିରା ଚାଉଳ ବାହାର ରାଜ୍ୟକୁ ପଠାଯାଇଛି । ୧୦୦ କ୍ୱିଣ୍ଟାଲ ଶୁଖିଲା ଅଦା ବେଙ୍ଗାଲୁରୁକୁ, ୨୪୦ କ୍ୱିଣ୍ଟାଲ କଞ୍ଚା ଅଦା ପଞ୍ଜାବକୁ ଓ ୬୦ କ୍ୱିଣ୍ଟାଲ ଉତ୍କୃଷ୍ଟ ମାନର କଳାଜିରା ଚାଉଳ ହରିୟାଣାକୁ ପଠାଯାଇଛି ।
ତେବେ ଏହା ଦ୍ୱାରା ସିଧାସଳଖ ବଜାର ସଂଯୋଗ ହେବାରୁ ଚାଷୀମାନେ ଆଗରୁ ମିଳୁଥିବା ଦର ଠାରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ ଅଧିକ ଲାଭ ପାଇବେ ବୋଲି ଆଶା ରଖିଛନ୍ତି । ଏଥିରେ ସେମାନଙ୍କ ଆୟ ବଢ଼ିବା ସହ ପରିବାରର ଅର୍ଥନୀତି ମଧ୍ୟ ମଜବୁତ ହେବ।
ଏନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ କହିଛନ୍ତି, ଚାଷୀଙ୍କୁ ଠିକ ଦର ଦେବା ପାଇଁ ବଡ଼ ବଜାର ସହ ଯୋଡ଼ିବା ଅତ୍ୟାବଶ୍ୟକ । ଆଗାମୀ ଦିନରେ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କୁ ଆହୁରି ଶକ୍ତିଶାଳୀ କରାଯିବ ଓ ଜନଜାତି ଚାଷୀଙ୍କୁ ଦେଶର ବଡ଼ ବଜାର ସହ ଯୋଡ଼ାଯିବ।
ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କହିଛନ୍ତି, ସଠିକ ପରାମର୍ଶ ଓ ମିଳିତ ପ୍ରୟାସର ଫଳରେ ଏହି କାମ ସଫଳ ହୋଇପାରିଛି । କଳାଜିରା ଚାଉଳ ଓଡ଼ିଶାର ଏକ ସୁଗନ୍ଧିତ ଓ ପ୍ରସିଦ୍ଧ ଚାଉଳ। ଏହାକୁ “ଚାଉଳର ରାଜକୁମାର” ବୋଲି ମଧ୍ୟ କୁହାଯାଏ । ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ଅନେକ ଅଞ୍ଚଳରେ ଏହି ଧାନ ଚାଷ ହେଉଛି। ବିଶେଷ କରି ଆଦିବାସୀ ମହିଳାମାନେ ଏହା ଚାଷ କରୁଛନ୍ତି। ୨୦୨୪ ମସିହାରେ ଏହି ଧାନକୁ ଜିଆଇ ଟ୍ୟାଗ ମିଳିଥିଲା।
ଏହି କଳାଜିରା ଚାଉଳରୁ ଜଗନ୍ନାଥଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଉଛି । ଗତ ଫେବୃଆରୀ ମାସରେ ୧୨ ଜଣ ଆଦିବାସୀ ମହିଳା କୋରାପୁଟରୁ ଜଗନ୍ନାଥ ମନ୍ଦିର ପୁରୀକୁ କଳାଜିରା ଚାଉଳ ନେଇ ଯାଇ ଅର୍ପଣ କରିଥିଲେ। ରସାୟନ ମୁକ୍ତ ଶସ୍ୟରେ ଭୋଗ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।
ଏହି ପଦକ୍ଷେପ ଫଳରେ କୋରାପୁଟର ଜନଜାତି ଚାଷୀମାନଙ୍କ ଆୟ ବଢ଼ିବା ସହ ସ୍ଥାନୀୟ କୃଷି ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ତେବେ ଏହାକୁ ନେଇ ସ୍ଥାନୀୟ ଚାଷୀଭାଇ ମାନେ ଖୁସି ହେବା ସହ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କ ଏଭଳି ପଦକ୍ଷେପ ଓ ଚାଷୀଙ୍କ ପ୍ରତି ଦରଦ ଦେଖି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
