Explore

Search

March 25, 2026 11:21 pm

କେଳୁଚରଣ ମହାପାତ୍ର : ଓଡିଶୀ ନୃତ୍ୟର ଜୀବନ୍ତ ପରିଚୟ

କେଳୁଚରଣ ମହାପାତ୍ର ଭାରତର ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଭାବେ ପରିଚିତ । ସେ ଓଡିଶୀ ନୃତ୍ୟକୁ ଦେଶ-ବିଦେଶରେ ପରିଚିତ କରାଇଥିବା ଏକ ମହାନ ବ୍ୟକ୍ତିତ୍ୱ । ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଓଡିଶାର ପୁରୀ ଜିଲ୍ଲାର ରଘୁରାଜପୁରର ଏକ ଶିଳ୍ପୀ ପରିବାରରେ ଜନ୍ମଗ୍ରହଣ କରିଥିବା କେଳୁଚରଣ ମହାପାତ୍ର ଛୋଟ ବେଳୁ ନୃତ୍ୟ ଓ ସଙ୍ଗୀତ ପ୍ରତି ଆକର୍ଷିତ ଥିଲେ। ସେ ମାହାରୀ ପରମ୍ପରା ଓ ଗୋଟିପୁଅ ନୃତ୍ୟରୁ ଶିକ୍ଷା ଗ୍ରହଣ କରି ଓଡିଶୀ ନୃତ୍ୟକୁ ଏକ ନୂତନ ରୂପ ଦେଇଥିଲେ।

ତାଙ୍କର ନୃତ୍ୟରେ ଭାବ, ଭଙ୍ଗୀ ଓ ଅଭିନୟର ଅସାଧାରଣ ସମନ୍ୱୟ ଦେଖିବାକୁ ମିଳୁଥିଲା। ସେ ଅନେକ ଶିଷ୍ୟଙ୍କୁ ପ୍ରଶିକ୍ଷଣ ଦେଇ ଓଡିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରିଥିଲେ । ତାଙ୍କର ଅସାଧାରଣ ଅବଦାନ ପାଇଁ ସେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଭଳି ସମ୍ମାନରେ ସମ୍ମାନିତ ହୋଇଥିଲେ। କେଳୁଚରଣ ମହାପାତ୍ର ଓଡିଶାର ସାଂସ୍କୃତିକ ଐତିହ୍ୟର ଗର୍ବ ଓ ଓଡିଶୀ ନୃତ୍ୟର ଅମର ପରିଚୟ ଭାବେ ସଦା ସ୍ମରଣୀୟ ରହିବେ । ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ ।

କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚସଜ୍ଜା, ମେକଅପ, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ । ଏହି ଦଳ ବର୍ଷର ୬/୭ ମାସ ଗାଁ ଗାଁ ବୁଲି କୃଷ୍ଣଲୀଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରୁଥିଲେ । ଉପେନ୍ଦ୍ର ଭଞ୍ଜ, ବନମାଳୀ, ଗୋପାଳକୃଷ୍ଣ ଓ ଜୟଦେବ ଆଦିଙ୍କ ରଚନାରୁ “ବାଲ୍ୟଲୀଳା”, “ମାନଭଞ୍ଜନ”, “ରାଧା ପ୍ରେମାମୃତ”, “ବିଦଗ୍ଧ ମାଧବ” ଆଦି ବିଷୟ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିଲା । ନୃତ୍ୟ ସଂଯୋଜନା, ସଙ୍ଗୀତ ଗୋସ୍ୱାମୀଙ୍କ ଦ୍ୱାରା କରାଯାଉଥିଲା । କେଳୁଚରଣ ଏହି ଦଳରେ ୧୦ ବର୍ଷ ରହିଥିଲେ ।

ଏଠାରେ ସେ ଗୁରୁ ଅଗାଧୁ ମହାରଣାଙ୍କ ଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । ଗୁରୁ-ଶିଷ୍ୟ ପରମ୍ପରାରେ ସମୃଦ୍ଧ ଏହି ଦଳରେ ଶିକ୍ଷାଗ୍ରହଣ ସହିତ କେଳୁଚରଣ, ଗୁରୁଙ୍କ ପାଇଁ ରୋଷେଇ, ବାସନ ମଜା ଭଳି ସେବା ମଧ୍ୟ କରୁଥିଲେ । ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ କେଳୁଚରଣ ନିଜେ ଗୁରୁ ସାଜିଥିଲେ, ସେହି ଗୁରୁ-ଶିଷ୍ୟ ପରମ୍ପରାକୁ ଆଦରି ଥିଲେ ଓ ଶିଷ୍ୟମାନଙ୍କୁ ନିଜ ସନ୍ତାନ ଭାବରେ ମନେ କରୁଥିଲେ ।

କେଳୁଚରଣଙ୍କ ପିତାଙ୍କ ଦେହାନ୍ତ ପରେ କେଳୁଚରଣ ରାସଲୀଳା ଦଳ ଛାଡି ଗାଁକୁ ଫେରିଯାଇଥିଲେ। ସେଠାରେ ଜୀବିକା ନିର୍ବାହ ପାଇଁ ଏକ ପାନ ବରଜରେ ମୂଲିଆ ଭାବରେ କାର୍ଯ୍ୟ କରିବାକୁ ପଡିଥିଲା। କିଛିଦିନ ପରେ ଗାଁ ଛାଡ଼ି କଟକ ଚାଲି ଆସିଥିଲେ । କଟକ ଆସି, ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ । ଦରମା ଥିଲା ମାସକୁ ୭ ଟଙ୍କା । କଟକରେ ସେ ହରିହର ରାଓଙ୍କଠାରୁ ତବଲାରେ ଅଧିକ ଶିକ୍ଷାଗ୍ରହଣ କରିଥିଲେ । ତାପରେ ସେ “ଅନ୍ନପୂର୍ଣ୍ଣା ବି” ଦଳରେ ଯୋଗ ଦେଇଥିଲେ । ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା।

ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା “ଦେବୀ ଭସ୍ମାସୁର”ରେ “ନଟରାଜ” ଭୂମିକାରେ କେଳୁଚରଣ ଲୋକଲୋଚନକୁ ଆସିଲେ । ଏଥିରେ “ମୋହିନୀ” ଭୂମିକାରେ ଅଭିନୟ କରିଥିଲେ “ଲକ୍ଷ୍ମୀପ୍ରିୟା” । ଆଉ ସେଠାରୁ ଆରମ୍ଭ ହୋଇଥିଲା କେଳୁଚରଣ-ଲକ୍ଷ୍ମୀପ୍ରିୟାଙ୍କର ସମ୍ପର୍କ । କେଳୁଚରଣଙ୍କୁ ୨୮ବର୍ଷ ହେଲା ବେଳକୁ ସେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ପୁରୀରେ ଉଭୟ ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି, ସେ ସବୁକୁ ଆୟତ୍ତ କରି ନିଜସ୍ୱ ଏକ ପରିଚୟ ସୃଷ୍ଟି କରି ପାରିଥିଲେ। କେଳୁଚରଣଙ୍କ ଭାଷାରେ ଓଡ଼ିଶୀ ନୃତ୍ୟ ମାହାରୀର ଭାବ ଓ ଗୋଟିପୁଅର ଅଙ୍ଗଭଙ୍ଗୀକୁ ନିଜର କରିଛି । ପୁରୀରେ ଉଭୟ ସ୍ୱାମୀ-ସ୍ତ୍ରୀ ”ଅନ୍ନପୂର୍ଣ୍ଣା ଏ” ଆନୁକୁଲ୍ୟରେ ନୃତ୍ୟ ପରିବେଷଣ କରୁଥିଲେ । କ୍ରମେ କେଳୁଚରଣ ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ତବଲା ଓ ମର୍ଦଳ ବାଦନ କରିବା ଆରମ୍ଭ କରିଥିଲେ । ୧୯୫୩ ମସିହାରେ, ସେ କଟକର କଳା ବିକାଶ କେନ୍ଦ୍ରରେ ଯୋଗ ଦେଇଥିଲେ । ସେତେବେଳ ଯାଏଁ କଳା ବିକାଶ କେନ୍ଦ୍ରର ପାଠ୍ୟକ୍ରମରେ ଓଡ଼ିଶୀ ନୃତ୍ୟର ସ୍ଥାନ ନଥାଏ । କଳା ବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ଶିକ୍ଷାଦାନ କରି ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସୃଷ୍ଟି କରି ପାରିଥିଲେ ।

୮୦ ଦଶକ ବେଳକୁ କେଳୁଚରଣ କଳା ବିକାଶ କେନ୍ଦ୍ର ଛାଡି, ଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ । ସେଗୁଡିକ ମଧ୍ୟରେ ଦିଲ୍ଲୀର ଗାନ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇର ନେସନାଲ ସେଣ୍ଟରଫର ପରଫର୍ମିଙ୍ଗ ଆର୍ଟ୍ସ, କଲିକତାର ପଦାତିକ ନୃତ୍ୟ କେନ୍ଦ୍ର ଅନ୍ୟତମ ଥିଲା। କେଳୁଚରଣଙ୍କର ଲୋକପ୍ରିୟତା ଓ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ି ଚାଲିଥିଲା । ବହୁ ବିଦେଶୀ ଶିଷ୍ୟ କଟକ ଆସି, କେଳୁଚରଣଙ୍କ ଘରେ ରହି ତାଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ। ନିଜସ୍ୱ ନୃତ୍ୟ ପରିବେଷଣ ମଧ୍ୟ ଚାଲିଥିଲା । ଭାରତର ବିଭିନ୍ନ ସ୍ଥାନ ସହ ଜାପାନ, ଜର୍ମାନୀ, ଋଷିଆ, ଫ୍ରାନ୍ସ, ଯୁକ୍ତରାଜ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ସ୍ଥାନରେ ସେ ନୃତ୍ୟ ପରିବେଷଣ କରୁଥିଲେ । ସେ ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ପ୍ରାୟ ୧୦ ବର୍ଷ ଧରି ଜଡ଼ିତ ରହିଥିଲେ । ୧୯୯୫ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାଡିବା ପରେ, ସେ ନିଜସ୍ୱ ଅନୁଷ୍ଠାନ “ସୃଜନ”ର ନିର୍ମାଣ କରିଥିଲେ । ୨୦୦୪ ମସିହା ଅପ୍ରେଲ ୭ ତାରିଖରେ କେଳୁଚରଣ ଇହଧାମ ତ୍ୟାଗ କରିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score