Explore

Search

February 13, 2026 7:28 am

କାର୍ଯ୍ୟକ୍ଷମ ହେଲା ଡୁଡୁମା ଅସ୍ଥାୟୀ ବସଷ୍ଟାଣ୍ଡ, ସୁବିଧା ହେବ ଯାତାୟାତ : ଜିଲ୍ଲାପାଳ

ବ୍ରହ୍ମପୁର : ଶେଷରେ ଦୀର୍ଘଦିନର ଅପେକ୍ଷା ପରେ ଡୁଡୁମା କଲୋନୀ ଫାଷ୍ଟଗେଟ ନିକଟରେ ନିର୍ମିତ ଅସ୍ଥାୟୀ ବସ ଟର୍ମିନାଲ ଆନୁଷ୍ଠାନିକ ଭାବେ ସେବା ଆରମ୍ଭ କରିଛି । ରାଜ୍ୟ ପରିବହନ ଓ ଖଣିମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିବାବେଳେ, ସ୍ଥାନୀୟ ବିଧାୟକ କେ. ଅନୀଲ କୁମାର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ନୂତନ ବସ ଟର୍ମିନାଲ ଚାଲୁ ହେବା ସହ ସହର ମଧ୍ୟଭାଗରେ ଦୀର୍ଘଦିନ ଧରି ଚାଲୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି ପ୍ରଶାସନ ଆଶା ବ୍ୟକ୍ତ କରିଛନ୍ତି । ଏଠାରେ ବସ ରହଣୀ ପାଇଁ ବ୍ୟାପକ ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କ ନିମନ୍ତେ ପାନୀୟଜଳ, ଶୌଚାଳୟ ଓ ପ୍ରତୀକ୍ଷାଗୃହ ଭଳି ଆବଶ୍ୟକ ସୁବିଧା ସୃଷ୍ଟି କରାଯାଇଛି । ମାଲକାନଗିରି, କୋରାପୁଟ, ଫୁଲବାଣୀ, ଭଞ୍ଜନଗର ଓ ଆସିକା ଆଦି ଅଞ୍ଚଳରୁ ଆସୁଥିବା ବସ ଗୁଡ଼ିକ ଏଠାରେ ମଧ୍ୟ ରହିବାର ବ୍ୟବସ୍ଥା ହୋଇଛି । ତେବେ ଏଇ ସବୁ ବସ ସହର ଭିତରକୁ ପ୍ରବେଶ କରିବେ ନାହିଁ ।

ପ୍ରାୟ ୨୦୦ଟି ବସ ରଖିବାକୁ ସମର୍ଥ ଏହି ପ୍ରାଙ୍ଗଣକୁ ଆଗାମୀ ଦିନରେ ଅଧିକ ସୁବିଧା ସମ୍ପନ୍ନ କରାଯିବ । ମାର୍କେଟ କମ୍ପ୍ଲେକ୍ସ, ଯାତ୍ରୀ ଡର୍ମିଟୋରି, ବସ ଧୋଇବା କେନ୍ଦ୍ର ଓ କର୍ମଚାରୀମାନଙ୍କ ପାଇଁ ବିଶ୍ରାମକକ୍ଷ ନିର୍ମାଣର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି ।

ଏହାସହିତ ଭୁବନେଶ୍ୱର ଓ ଗଜପତି ଦିଗରୁ ଆସୁଥିବା ବସ ଗୁଡ଼ିକୁ ହଳଦିଆପଦର ବସଷ୍ଟାଣ୍ଡରେ ରଖିବା ପାଇଁ ଯୋଜନା ଚାଲିଛି । କୋର୍ଟପେଟା ଛକରୁ ଫାଷ୍ଟଗେଟ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଚଳାଚଳ ଉପରେ ନିଷେଧାଦେଶ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଟ୍ରାଫିକ ସମସ୍ୟା ହ୍ରାସ ପାଇବାସହ ଗେଟ ବଜାର ଓଭରବ୍ରିଜ ନିର୍ମାଣ କାର୍ଯ୍ୟରେ ଗତି ଆସିବ ବୋଲି କୁହାଯାଉଛି ।

ଏହି ପରିପ୍ରେକ୍ଷୀରେ ବିଧାୟକ ଅନୀଲ କୁମାର କହିଛନ୍ତି ଯେ, ମୋଟ ୧୬ ଏକର ଜମିରେ ଏହି ପ୍ରକଳ୍ପ ରହିଥିବାରୁ ଭବିଷ୍ୟତରେ ଏଠାରେ ସ୍ଥାୟୀ ବସ ଟର୍ମିନାଲ ଗଢ଼ି ଉଠିବାର ସମ୍ଭାବନା ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଧାୟକ କହିଛନ୍ତି । ଏହାସହ ହଳଦିଆପଦର ବସଷ୍ଟାଣ୍ଡକୁ ମଧ୍ୟ ଶୀଘ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାର ଆଶ୍ୱାସନ ଦିଆଯାଇଛି।

ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି କିଛି ବସ ହଳଦିଆପଦର ଓଭରବ୍ରିଜ ମାର୍ଗରେ ସହରକୁ ପ୍ରବେଶ କରିବ । ଆମବସ ଗୁଡ଼ିକ ଆମ୍ବମାର୍କେଟ, ପୁରୁଣା ବ୍ରହ୍ମପୁର ଓ ହରିଡ଼ାଖଣ୍ଡି ମାର୍ଗରେ ଅସ୍ଥାୟୀ ଟର୍ମିନାଲକୁ ପହଞ୍ଚିବେ। ଯେଉଁ ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ ରହିଛି, ସେଗୁଡ଼ିକ ଶୀଘ୍ର ମରାମତି ହେବ । ଏହାଦ୍ୱାରା ଯାତାୟାତ ସୁବିଧା ହେବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score