Explore

Search

February 15, 2026 8:57 pm

ଓଡିଶାର ପ୍ରସିଦ୍ଧ ତନ୍ତ୍ରପୀଠ ମା’ ଉଗ୍ରତାରା, ପୂଜା କଲେ ପୂରଣ କରନ୍ତି ମନୋସ୍କାମନା

ଓଡ଼ିଶା ଶକ୍ତି ସାଧନା ଓ ତନ୍ତ୍ର ପରମ୍ପରାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ। ଏହି ପବିତ୍ର ଭୂମିରେ ଅବସ୍ଥିତ ଅନେକ ଶକ୍ତିପୀଠ ମଧ୍ୟରୁ ମା’ ଉଗ୍ରତାରାଙ୍କ ପୀଠ ଏକ ଭିନ୍ନ ମର୍ଯ୍ୟାଦା ରଖିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତର ଭୂଷଣ୍ଡପୁର ଅଞ୍ଚଳର ହାତିଆଶୁଣୀ ପାହାଡ଼ର ପାଦଦେଶରେ ଅବସ୍ଥିତ ଏହି ପୀଠ ଭକ୍ତମାନଙ୍କ ପାଇଁ ଅପାର ଆସ୍ଥାର କେନ୍ଦ୍ର । କୁହାଯାଏ ଯେ ଯିଏ ଏହି ପୀଠରେ ପୂଜା କରିଛି ତାରା ସମସ୍ତ ମାନସିକ ପୂରଣ ହୁଏ ।

ତେବେ ବର୍ଷର ସମସ୍ତ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ମା’ ଉଗ୍ରତାରାଙ୍କ ଦର୍ଶନ ପାଇଁ ଏଠାକୁ ଆସନ୍ତି । ବିଶେଷ କରି ଶାରଦୀୟ ନବରାତ୍ରୀ ସମୟରେ ପୀଠଟି ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଯାଏ। ଗ୍ରହଦୋଷ ନିବାରଣ, ଜୀବନ ସମସ୍ୟାର ସମାଧାନ ଓ ମନୋକାମନା ପୂରଣ ପାଇଁ ଭକ୍ତମାନେ ମା’ଙ୍କ ଶରଣାଗତ ହୋଇଥାନ୍ତି । ମା’ ପ୍ରସନ୍ନ ହେଲେ ଭକ୍ତଙ୍କ ଇଚ୍ଛା ଅବଶ୍ୟ ପୂରଣ ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛି ।

ତନ୍ତ୍ର ସାଧନାର ଦୃଷ୍ଟିରୁ ମା’ ଉଗ୍ରତାରାଙ୍କ ପୀଠକୁ ବିଶେଷ ମହତ୍ତ୍ୱ ଦିଆଯାଏ। ପୃଥିବୀରେ ଅବସ୍ଥିତ ଚାରୋଟି ପ୍ରମୁଖ ତାରାପୀଠ ମଧ୍ୟରୁ ଏହା ଗୋଟିଏ ବୋଲି ଧାରଣା ରହିଛି । କିମ୍ବଦନ୍ତୀ ଅନୁସାରେ, ରାଜା କପିଳେନ୍ଦ୍ର ଦେବ ଏଠାରେ ମା’ଙ୍କ ପ୍ରତିଷ୍ଠା କରିଥିବା କଥା କୁହାଯାଏ । ମା’ଙ୍କ ମୂର୍ତ୍ତି ଦେଖିବାକୁ ଶାନ୍ତ ଓ କରୁଣାମୟ।

ସାଧକମାନେ ମଧ୍ୟ ଏହି ପୀଠକୁ ତନ୍ତ୍ର ସାଧନା ପାଇଁ ଗୁରୁତ୍ୱ ଦେଇଥାନ୍ତି। ଦେବୀ ଭାଗବତ ଓ ଅନ୍ୟାନ୍ୟ ଧାର୍ମିକ ଗ୍ରନ୍ଥରେ ମା’ ଉଗ୍ରତାରାଙ୍କ ମହିମାର ଉଲ୍ଲେଖ ମିଳେ । ମା’ଙ୍କ ପାଖରେ ଚୁଡାଘଷା ଓ ଆମିଷ ଭୋଗ ହୁଏ । କୁହାଯାଏ କି ପୂଜା ସମୟରେ ମା’ଙ୍କ ମଥାରୁ ଫୁଲ ଖସିଲେ ତାହା ଶୁଭ ହୋଇଥାଏ । ମା’ଙ୍କ ପାଖରେ ବିଶେଷ କରି ଲାଲ ରଙ୍ଗର ମନ୍ଦାର ଫୁଲ ପୂଜା କରାଯାଏ ।

ନବରାତ୍ରୀ ଅବସରରେ ପୀଠରେ ୧୬ ଦିନ ଧରି ବିଶେଷ ପୂଜାର୍ଚ୍ଚନା, ଚଣ୍ଡୀପାଠ, ତନ୍ତ୍ରପାଠ, ନବଗ୍ରହ ପୂଜା ଓ ଦଶମହାବିଦ୍ୟା ସାଧନା ହୁଏ । ଏ ସମୟରେ ମା’ଙ୍କୁ ନବଦୁର୍ଗାର ବିଭିନ୍ନ ବେଶରେ ସଜ୍ଜିତ କରାଯାଏ । ଗ୍ରହରାଜ ବୃହଷ୍ପତିଙ୍କ ଇଷ୍ଟଦେବୀ ଭାବେ ମା’ ଉଗ୍ରତାରାଙ୍କୁ ଗଣାଯାଏ, ତେଣୁ ଗ୍ରହଶାନ୍ତି ପାଇଁ ଏହି ପୀଠରେ ଭକ୍ତଙ୍କ ଭିଡ଼ ଜମେ ।

ଦର୍ଶନ ଅନୁସାରେ ମା’ ତାରା ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଦ୍ୱିତୀୟ ରୂପ । ସେ ଜ୍ଞାନ, ବାକଶକ୍ତି ଓ ମୋକ୍ଷ ପ୍ରଦାନ କରୁଥିବା ଦେବୀ ଭାବେ ପରିଚିତ । ଭକ୍ତଙ୍କୁ ବିପଦରୁ ଉଦ୍ଧାର କରୁଥିବାରୁ ତାଙ୍କୁ ‘ଉଗ୍ରତାରା’ ବୋଲି ସମ୍ବୋଧନା କରାଯାଏ । ଏଭଳି ଭାବେ ଆସ୍ଥା, ଐତିହ୍ୟ ଓ ତନ୍ତ୍ର ସାଧନାର ଅନନ୍ୟ ସମନ୍ୱୟ ମା’ ଉଗ୍ରତାରାଙ୍କ ପୀଠକୁ ଓଡ଼ିଶାର ଏକ ଅପୂର୍ବ ଆଧ୍ୟାତ୍ମିକ ଗନ୍ତବ୍ୟ ରୂପେ ପରିଚୟ ଦେଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score