Explore

Search

March 12, 2026 11:06 pm

ଓଡ଼ିଆଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ : ଜାରି କଲେ ଟୋଲ ଫ୍ରି ନମ୍ବର

ଭୁବନେଶ୍ୱର : ଆକାଶରେ ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ ବାରୂଦ । ତୁହାକୁ ତୁହା ଖସୁଛି ଡ୍ରୋନ । ବୋମା ମାଡ଼ରେ ଥରୁଛି ସମଗ୍ର ମଧ୍ୟପ୍ରାଚ୍ୟ । ଆଉ ଏହି ଯୁଦ୍ଧ ପରିସ୍ଥିତି ମଧ୍ୟରେ ଅନେକ ଓଡ଼ିଆ ଲୋକ ଏବେ ବି ମଧ୍ୟପ୍ରାଚ୍ୟରେ ଫସି ରହିଛନ୍ତି । ଏଇ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉଦବେଗ ପ୍ରକାଶ କରିଛନ୍ତି ।

ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପରିସ୍ଥିତି ଉପରେ ନଜର ରଖିବା ସହ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ଓଡ଼ିଆମାନଙ୍କୁ ଶୀଘ୍ର ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଥିବା ଓଡ଼ିଆ ମାନଙ୍କ ପକ୍ଷରୁ “ଓଡ଼ିଶା ପରିବାର” ନିର୍ଦ୍ଦେଶାଳୟକୁ ପ୍ରାୟ ୨୦୦ଟି ଫୋନ କଲ ଆସିଥିବା ସୂଚନା ମିଳିଛି । ଏହାପରେ ନିର୍ଦ୍ଦେଶାଳୟ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ କରାଯାଇ ସେମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ସହାୟତା ଯୋଗାଯାଉଛି ।

ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲିଛି ଏବଂ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦-୧୧୮-୭୯୭ ଜାରି କରିଛି।

ଅନ୍ୟପଟେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଦୁବାଇ, ଆବୁଧାବି ଓ ବାହାରିନରେ ଥିବା ଓଡ଼ିଆ ଆସୋସିଏସନ ସହ ସଂଯୋଗ ସ୍ଥାପନ କରି ସେଠାର ପରିସ୍ଥିତି ଓ ଓଡ଼ିଆମାନଙ୍କ ସ୍ଥିତି ବିଷୟରେ ତଥ୍ୟ ସଂଗ୍ରହ କରୁଛି।

ସୂଚନା ଅନୁଯାୟୀ, ଦୁବାଇରେ ଅଟକିଥିବା ୩୫ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମଧ୍ୟରୁ ୯ ଜଣ କେରଳର କୋଚି ମାର୍ଗ ଦେଇ ମାର୍ଚ୍ଚ ୭ ତାରିଖରେ ଭୁବନେଶ୍ୱର ପହଞ୍ଚିଛନ୍ତି । ଅବଶିଷ୍ଟ ପର୍ଯ୍ୟଟକମାନେ ମୁମ୍ବାଇ ମାର୍ଗରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ସ୍ୱତନ୍ତ୍ର ବିମାନରେ ମାର୍ଚ୍ଚ ୮ ତାରିଖରେ ରାଜଧାନୀକୁ ଫେରିଥିବା ଜଣାପଡ଼ିଛି ।

ଏହାସହିତ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଏପର୍ଯ୍ୟନ୍ତ ପ୍ରାୟ ୬୫ ହଜାର ଭାରତୀୟ ସ୍ୱତନ୍ତ୍ର ବିମାନ ସେବା ମାଧ୍ୟମରେ ଭାରତକୁ ଫେରି ଆସିଥିବା ତଥ୍ୟ ମିଳିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score