Explore

Search

February 11, 2026 3:28 pm

ଏବେ ଓଲା-ଉବରଙ୍କ ଛୁଟି : ଲଞ୍ଚ ହେଲା ଭାରତ ଟ୍ୟାକ୍ସି ଆପ୍

ଓଲା ଏବଂ ଉବର ପରି ବେସରକାରୀ ଟ୍ୟାକ୍ସି ସେବାକୁ ସିଧାସଳଖ ଚ୍ୟାଲେଞ୍ଜ ଦେବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ସମବାୟ ଭିତ୍ତିକ ଟ୍ୟାକ୍ସି ସେବା “ଭାରତ ଟ୍ୟାକ୍ସି ଆପ୍” ଲଞ୍ଚ କରାଯାଇଛି । ଏହି ନୂଆ ଟ୍ୟାକ୍ସି ସେବା ମାଧ୍ୟମରେ ଯାତ୍ରୀମାନେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ଭଡ଼ାରେ ଯାତ୍ରା କରିପାରିବେ।

ସୁଲଭ ଓ ପାରଦର୍ଶୀ ଭଡ଼ା ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ହେଉଛି ଏହି ଆପର ପ୍ରମୁଖ ଲକ୍ଷ୍ୟ । ଡ୍ରାଇଭର-ମାଲିକାନା ମଡେଲ ଉପରେ ଆଧାରିତ ଏହି ସମବାୟ ଟ୍ୟାକ୍ସି ସେବା କେବଳ ଯାତ୍ରୀଙ୍କୁ କମ ଭଡ଼ାର ସୁବିଧା ଦେବ ତାହା ନୁହେଁ, ବରଂ ଡ୍ରାଇଭରମାନଙ୍କୁ ନ୍ୟାୟସଂଗତ ଆୟ ଓ ପୂର୍ଣ୍ଣ ପ୍ରତିପୂରଣ ନିଶ୍ଚିତ କରିବ ।

ଏହା ସହିତ ଭରସାଯୋଗ୍ୟ ଓ ଯାତ୍ରୀ-ବନ୍ଧୁ ସେବା ପ୍ରଦାନ କରିବାକୁ “ଭାରତ ଟ୍ୟାକ୍ସି ଆପ୍” ପ୍ରତିବଦ୍ଧ ବୋଲି ଜଣାପଡ଼ିଛି । ଦେଶର ଟ୍ୟାକ୍ସି ସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମବାୟ ଆଧାରିତ ଦେଶର ପ୍ରଥମ ଟ୍ୟାକ୍ସି ପ୍ଲାଟଫର୍ମ “ଭାରତ ଟ୍ୟାକ୍ସି ଆପ୍” ଗୁରୁବାର ଆନୁଷ୍ଠାନିକ ଭାବେ ଲଞ୍ଚ କରାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏହି ଆପର ଉଦଘାଟନ କରିଛନ୍ତି।

ଏହି ଟ୍ୟାକ୍ସି ସେବା ଦିଲ୍ଲୀ-ଏନସିଆର ଅଞ୍ଚଳରେ ଚାଲୁ ହେଉଛି । ପର୍ଯ୍ୟାୟକ୍ରମେ ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ ସହିତ ଦେଶର ଅନ୍ୟାନ୍ୟ ବଡ଼ ସହର ଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରାଯିବାର ଯୋଜନା ରହିଛି ।

ଡ୍ରାଇଭର-ମାଲିକାନା ଓ ସମବାୟ ମଡେଲ ଉପରେ ଭିତ୍ତି କରିଥିବା “ଭାରତ ଟ୍ୟାକ୍ସି ଆପ୍” ମାଧ୍ୟମରେ ଯାତ୍ରୀମାନଙ୍କୁ ସୁଲଭ ଓ ପାରଦର୍ଶୀ ଭଡ଼ାର ସୁବିଧା ମିଳିବା ସହ ଡ୍ରାଇଭରମାନଙ୍କୁ ନ୍ୟାୟସଂଗତ ଆୟ ଓ ସ୍ୱାଧୀନତା ମିଳିବ ବୋଲି ଆଶା କରାଯାଉଛି ।

ଟଙ୍କା ସିଧା ଡ୍ରାଇଭରଙ୍କ ଖାତାକୁ

ଭାରତ ଟ୍ୟାକ୍ସି ଆପର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ଡ୍ରାଇଭର-ମାଲିକାନା ଭିତ୍ତିକ ବ୍ୟବସ୍ଥା। ଓଲା ଓ ଉବର ଭଳି ବେସରକାରୀ ଟ୍ୟାକ୍ସି ପ୍ଲାଟଫର୍ମ ଗୁଡ଼ିକ ଯେଉଁଠାରେ ଡ୍ରାଇଭରଙ୍କ ଆୟରୁ ଭାରି କମିଶନ କାଟି ନେଇଥାନ୍ତି । ସେଠାରେ ଭାରତ ଟ୍ୟାକ୍ସି ଏହି ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଏଠାରେ ଯାତ୍ରୀ ଦେଇଥିବା ସମ୍ପୂର୍ଣ୍ଣ ଭଡ଼ା ସିଧାସଳଖ ଡ୍ରାଇଭରଙ୍କ ବ୍ୟାଙ୍କ ଖାତାକୁ ଯିବ, କୌଣସି କମିଶନ କଟକଣା ବିନା।

ଏହି ପ୍ଲାଟଫର୍ମରେ ଡ୍ରାଇଭରମାନେ କେବଳ ସେବାଦାତା ନୁହଁନ୍ତି, ବରଂ ସମବାୟ ସଂସ୍ଥାର ଅଂଶୀଦାର ଭାବେ ମଧ୍ୟ ଗଣ୍ୟ ହେବେ। ଆପରେ ଯୋଗଦେଉଥିବା ପ୍ରତ୍ୟେକ ଡ୍ରାଇଭରଙ୍କୁ ସମବାୟ ସମିତିର ୫ଟି ଅଂଶଧନ ପ୍ରଦାନ କରାଯିବ । ଯାହା ତାଙ୍କୁ ପ୍ଲାଟଫର୍ମର ସହ-ମାଲିକ ଭାବେ ସ୍ଥାନ ଦେବ। ଡ୍ରାଇଭରମାନେ କେବଳ ଏକ ସର୍ବନିମ୍ନ ସଦସ୍ୟତା ଶୁଳ୍କ ଦେବେ, ଯାହା ଦୈନିକ, ସାପ୍ତାହିକ କିମ୍ବା ମାସିକ ଭିତ୍ତିରେ ଦେବାର ସୁବିଧା ରହିଛି ।

ଭାରତ ଟ୍ୟାକ୍ସିକୁ କେବଳ ଏକ ଡିଜିଟାଲ୍ ଟ୍ୟାକ୍ସି ସେବା ଭାବେ ନୁହେଁ, ବରଂ ଡ୍ରାଇଭରମାନଙ୍କ ପାଇଁ ସାମାଜିକ ସୁରକ୍ଷାର ଏକ ମଜବୁତ ମଞ୍ଚ ଭାବରେ ଗଢ଼ି ତୋଳାଯାଇଛି। ଏହି ପ୍ଲାଟଫର୍ମ ସହ ଜଡିତ ପ୍ରତ୍ୟେକ ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ସହ ୫ ଲକ୍ଷ ଟଙ୍କାର ପରିବାର ସ୍ୱାସ୍ଥ୍ୟ ବୀମା ସୁବିଧା ମଧ୍ୟ ମିଳିବ।

ବହୁ-ରାଜ୍ୟ ସମବାୟ ସମିତି ଆଇନ ଅନୁଯାୟୀ କାର୍ଯ୍ୟ କରୁଥିବା ଏହି ବ୍ୟବସ୍ଥା ଅଧୀନରେ ଡ୍ରାଇଭରମାନେ ଭବିଷ୍ୟତରେ ସହଜ କିସ୍ତିରେ ଋଣ ସୁବିଧା ପାଇବେ। ଏହା ତାଙ୍କୁ ନିଜସ୍ୱ ଯାନ କିଣିବା, ସ୍ୱାବଲମ୍ବୀ ହେବା ସହ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ।

୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ଭଡ଼ାର ଦାବି

ଭାରତ ଟ୍ୟାକ୍ସି ଆପ ବଜାରର ଅନ୍ୟାନ୍ୟ ଟ୍ୟାକ୍ସି ସେବା ତୁଳନାରେ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ଭଡ଼ାରେ ଯାତ୍ରା ସୁବିଧା ଦେବା ଦାବି କରିଛି। ଏହି ସେବାର ଏକ ବଡ଼ ବିଶେଷତା ହେଉଛି ଏଠାରେ କୌଣସି ପ୍ରକାରର ବୃଦ୍ଧି ମୂଲ୍ୟ (ସର୍ଜ୍ ପ୍ରାଇସିଙ୍ଗ) ଲାଗୁ ହେବ ନାହିଁ। ବର୍ଷା, ଟ୍ରାଫିକ୍ ଜାମ୍ କିମ୍ବା ଅଧିକ ଯାତ୍ରୀ ଚାହିଦା ଥିବା ସମୟରେ ମଧ୍ୟ ଯାତ୍ରୀମାନଙ୍କୁ ଅତିରିକ୍ତ ଭଡ଼ା ଦେବାକୁ ପଡ଼ିବ ନାହିଁ।

ଭାରତ ଟ୍ୟାକ୍ସିର ସମସ୍ତ ଭଡ଼ା ପୂର୍ବନିର୍ଦ୍ଧାରିତ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିବ, ଯାହା ଯାତ୍ରା ଆରମ୍ଭ ପୂର୍ବରୁ ହିଁ ଯାତ୍ରୀଙ୍କୁ ସ୍ପଷ୍ଟ ଧାରଣା ଦେବ। ଏହି ଆପରେ ବାଇକ୍, ଅଟୋ ଓ କାର ସହିତ ବିଭିନ୍ନ ପ୍ରକାର ଯାନ ବିକଳ୍ପ ଉପଲବ୍ଧ ରହିବ।

ଯାତ୍ରୀମାନେ ନିଜ ଆବଶ୍ୟକତା ଓ ବଜେଟ ଅନୁଯାୟୀ ସହଜରେ ଯାନ ବାଛିପାରିବେ। ଏହା ଦ୍ୱାରା ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତ୍ରା ଅଧିକ ସୁଲଭ, ସୁରକ୍ଷିତ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score