Explore

Search

March 27, 2026 1:42 am

ଏପ୍ରିଲ ୧ରୁ କମ୍ପିବ ଓଡିଶା : ଭବ୍ୟ ହେବ ଓଡ଼ିଆ ପକ୍ଷ ପାଳନ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୧ରୁ କମ୍ପିବ ଓଡିଶା । ଭବ୍ୟ ହେବ ଓଡ଼ିଆ ପକ୍ଷ ପାଳନ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ କରାଯିବ ଓଡ଼ିଆ ପକ୍ଷ। ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ନେଇ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଏହି ଓଡ଼ିଆ ପକ୍ଷ ପାଳନ କରାଯିବ। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏହାକୁ ଆହୁରି ଭବ୍ୟ ରୂପେ ପାଳନ କରାଯିବ । ଏନେଇ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ମତ ଦେଇଛନ୍ତି ।

ଏହି ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ତିଆରି ହୋଇଛି। ଓଡ଼ିଆ ପକ୍ଷ ଅବଧିରେ ପ୍ରତିଦିନ ଏକ ବିଶେଷ ଥିମ ସହିତ ପାଳନ କରିବାକୁ ଯୋଜନା କରାଯାଇଛି । ଯାହା ମାଧ୍ୟମରେ ଭାଷା, ସଂସ୍କୃତି ଓ ପରମ୍ପରାର ବିଭିନ୍ନ କାର୍ଯ୍ୟକୁ ଲୋକଲୋଚନକୁ ଅଣା ଯାଇପାରିବ।

ଏହି ଅବସରରେ ଓଡ଼ିଶା ଦିବସରୁ ଆରମ୍ଭ କରି ଖଡ଼ିଛୁଆଁ ଦିବସ, ପାରମ୍ପରିକ ପୋଷାକ ଦିବସ, ବର୍ଣ୍ଣ ଦିବସ ଓ ଲୋକକଳା ଦିବସ ପର୍ଯ୍ୟନ୍ତ ଅନେକ ଆକର୍ଷଣୀୟ ଆୟୋଜନ ହେବ। ସେହିପରି ପାରମ୍ପରିକ ଖାଦ୍ୟ ଦିବସ ମାଧ୍ୟମରେ ଓଡ଼ିଆ ଖାଦ୍ୟ ପରମ୍ପରାକୁ ପ୍ରଚାର କରାଯିବ। ଏହାସହ ସ୍ୱଚ୍ଛତା ଦିବସ ଓ ରକ୍ତଦାନ ଅଭିଯାନ ଦ୍ୱାରା ସମାଜସେବାର ସନ୍ଦେସ ଦିଆଯିବ ।

ଏହାସହିତ “ଓଡ଼ିଆରେ ନାମ ଫଳକ” ଅଭିଯାନକୁ ବ୍ୟାପକ ଭାବେ ଆଗେଇ ନିଆଯିବ । ଯାହା ମାଧ୍ୟମରେ ସର୍ବସାଧାରଣ ସ୍ଥାନରେ ଓଡ଼ିଆ ଭାଷାର ବ୍ୟବହାରକୁ ବଢ଼ାଇବା ଲକ୍ଷ୍ୟ ରହିଛି । ତଥାପି, ଐତିହ୍ୟ ଗଣଦୌଡ଼, ଯୁବ ଲେଖକ ସମ୍ମିଳନୀ ଓ ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପୀଢ଼ିଙ୍କୁ ଓଡ଼ିଆ ଐତିହ୍ୟ ସହ ଯୋଡ଼ିବାର ଚେଷ୍ଟା କରାଯିବ।

ସମଗ୍ର ଭାବେ, ଏହି ବିଭିନ୍ନମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ପକ୍ଷକୁ ଏକ ସାମୁହିକ ଉତ୍ସବର ରୂପ ଦେଇ ଲୋକମାନଙ୍କ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଉଦ୍ୟମ ନେଉଯାଇଛି ।

ଓଡ଼ିଆ ପକ୍ଷକୁ ଆଧୁନିକ ଛୁଙ୍କ ଦେବା ପାଇଁ ଏବେ ଡିଜିଟାଲ ମାଧ୍ୟମକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି ଅବସରରେ ଓଡ଼ିଆ ପକ୍ଷ ପାଇଁ ଏକ ଆକର୍ଷଣୀୟ ଓ ସ୍ୱତନ୍ତ୍ର ଲୋଗୋ ଡିଜାଇନ୍‌ କରାଯିବା ସହ ଏକ ନିର୍ଦ୍ଦିଷ୍ଟ ୱେବସାଇଟ ମଧ୍ୟ ଆରମ୍ଭ କରାଯିବ। ଏହି ୱେବସାଇଟ ମାଧ୍ୟମରେ ପକ୍ଷ ସମ୍ବନ୍ଧୀୟ ସମସ୍ତ ସୂଚନା, କାର୍ଯ୍ୟକ୍ରମ ଓ ଅପଡେଟ ସହଜରେ ଲୋକମାନଙ୍କ ପହଞ୍ଚରେ ଆଣାଯିବ।

ଏହାସହିତ, ଯୁବପୀଢ଼ିଙ୍କ ଆଗ୍ରହ ବଢ଼ାଇବା ପାଇଁ “ଓଡ଼ିଆ ପକ୍ଷ କୁଇଜ୍‌” ପ୍ରତିଯୋଗିତାର ବ୍ୟବସ୍ଥା କରାଯିବ। ଏହି କୁଇଜରେ ଭାଗ ନେବାଥିବା ସମସ୍ତ ପ୍ରତିଯୋଗୀଙ୍କୁ ଡିଜିଟାଲ ପ୍ରମାଣପତ୍ର ଦିଆଯିବ। ଯାହା ମାଧ୍ୟମରେ ତାଙ୍କର ସହଭାଗିତାକୁ ସ୍ୱୀକୃତି ମିଳିବ।

ଚଳିତ ବର୍ଷର ଆଉ ଏକ ବିଶେଷ ପ୍ରୟାସ ହେଉଛି ପ୍ରବାସୀ ଓଡ଼ିଆମାନଙ୍କ ସମ୍ମିଳନ। ଦେଶ-ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଏହି ଉତ୍ସବ ସହ ଯୋଡ଼ିବା ପାଇଁ ବିଭିନ୍ନ ଅନଲାଇନ କାର୍ଯ୍ୟକ୍ରମ ଓ ସହଭାଗିତାର ଅବସର ସୃଷ୍ଟି କରାଯିବ ।

ସମଗ୍ର ଭାବେ, ପାରମ୍ପରିକତା ସହିତ ଡିଜିଟାଲ ପ୍ରଯୁକ୍ତିର ସମନ୍ୱୟ କରି ଓଡ଼ିଆ ପକ୍ଷକୁ ଏବେ ଗ୍ଲୋବାଲ ମଞ୍ଚରେ ପରିଚିତ କରାଇବାର ଉଦ୍ୟମ ନେଇଯାଇଛି।

ଏଥିସହ ପକ୍ଷ ପାଳନ ସମୟରେ ଯୁବପୀଢ଼ି ଏବଂ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଯେପରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ଏହାକୁ ସୁନିଶ୍ଚିତ କରାଯିବ । ଏଥିସହ ଓଡ଼ିଆ ପକ୍ଷ ପାଳନ ସମୟରେ ଓଡ଼ିଶାର ଉପାନ୍ତ ଅଞ୍ଚଳ ମାନଙ୍କରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି।

ଓଡ଼ିଆ ସଂସ୍କୃତି ସହ ପୁନଃ ସଂଯୋଜିତ ହୋଇ ଆମ ଓଡ଼ିଆ ଘରର ଚାଲିଚଳଣି, ଗାଥା ଗୌରବ, ଆମ ପରମ୍ପରା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ହେଉଛି ଓଡ଼ିଆ ପକ୍ଷ ପାଳନର ମୂଳ ଲକ୍ଷ୍ୟ । ବିଗତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଓଡ଼ିଆ ପକ୍ଷ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହାକୁ ଭବ୍ୟତାର ସହ ପାଳନ କରିବା ଲକ୍ଷ୍ୟ ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score