Explore

Search

March 22, 2026 4:52 am

ଉଚ୍ଚଶିକ୍ଷାରେ ବଡ଼ ନିବେଶ : ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ଲକ୍ଷ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଶାଳ ବଜେଟ ପ୍ରସ୍ତାବ ବିଧାନସଭାରେ ମଞ୍ଜୁର ହୋଇଛି । ଏଥିପାଇଁ ମୋଟ ୩୬୬୪.୪୦ କୋଟି ଟଙ୍କା ବ୍ୟୟ ନିର୍ଦ୍ଧାରିତ ହୋଇଥିବା ବେଳେ, ପ୍ରଶାସନିକ କାର୍ଯ୍ୟ ପାଇଁ ୧୮୬୫.୮୬ କୋଟି ଓ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ପାଇଁ ୧୭୯୮.୫୪ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଛାତ୍ରୀମାନଙ୍କ ସଶକ୍ତିକରଣକୁ ଆଗରେ ରଖି ‘ଶକ୍ତିଶ୍ରୀ’ ଯୋଜନା ପାଇଁ ୧୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଏହା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସଶକ୍ତିକରଣ କେନ୍ଦ୍ର ସ୍ଥାପନ, ଆତ୍ମରକ୍ଷା ପ୍ରଶିକ୍ଷଣ ଓ ମେଣ୍ଟରସିପ ସୁବିଧା ଦିଆଯିବ। ସେଥିପାଇଁ ଶିକ୍ଷାନୁଷ୍ଠାନରେ ସିସିଟିଭି ସୁବିଧା ବୃଦ୍ଧି କରାଯାଇ ସୁରକ୍ଷିତ ପରିବେଶ ନିଶ୍ଚିତ କରାଯିବ।

ଏହାସହ ଯୁବମାନଙ୍କୁ ସଶସ୍ତ୍ର ବାହିନୀ ଓ ପ୍ରତିରକ୍ଷା କ୍ଷେତ୍ରରେ ଆଗ୍ରହୀ କରିବା ପାଇଁ TAPAS ଯୋଜନାରେ ୨ କୋଟି ଟଙ୍କା ବିନିଯୋଗ ହୋଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, “ରାଜ୍ୟର ଶିକ୍ଷା ପ୍ରଣାଳୀକୁ ଆଧୁନିକ ଓ ଛାତ୍ରମୁଖୀ କରିବା ଆମର ପ୍ରାଥମିକତା। ଭିତ୍ତିଭୂମି ଉନ୍ନତି ସହ ଗୁଣାତ୍ମକ ଶିକ୍ଷା, ନିଯୁକ୍ତି ସୁଯୋଗ ଓ ଗବେଷଣାକୁ ଗୁରୁତ୍ୱ ଦିଆଯାଉଛି।”

ବଜେଟରେ ପିଏମ-ଉଷା ଯୋଜନା ପାଇଁ ୨୦୦ କୋଟି ଟଙ୍କା ବିନିଯୋଗ କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହ ଇ-ମେଧାବୃତ୍ତି, ବିଭିନ୍ନ ଛାତ୍ରବୃତ୍ତି ଯୋଜନା ଓ ବିଦେଶ ଶିକ୍ଷା ସହାୟତା ପାଇଁ ୮୮ କୋଟି ଟଙ୍କା ଆବଣ୍ଟନ ହୋଇଛି।

ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଶୁଳ୍କ କୋଚିଂ ବ୍ୟବସ୍ଥା ପାଇଁ ୧୦ କୋଟି, ଜାତୀୟ ସେବା ଯୋଜନା ପାଇଁ ୪ କୋଟି ଏବଂ ଗୋଦାବରୀଶ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୪୫ କୋଟି ଟଙ୍କା ବ୍ୟୟ ହେବ।

ଏହାସହ ଗବେଷଣା ଓ ନବସୃଜନକୁ ଉତ୍ସାହିତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ଗବେଷଣା ଓ ନବସୃଜନ ଫେଲୋସିପ’ ଯୋଜନାରେ ୨୦ କୋଟି ଟଙ୍କା ବିନିଯୋଗ ହୋଇଛି ।

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କୁ ଆଧୁନିକ ଧାରାରେ ଆଣିବା ସହ ନବାଚାର, ଷ୍ଟାର୍ଟଅପ ଓ ଗବେଷଣାକୁ ନୂଆ ଗତି ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବଜେଟ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରକୁ ଆଗକୁ ନେବାରେ ଏକ ମୂଲ୍ୟବାନ ପଦକ୍ଷେପ ଭାବେ ଦେଖାଯାଉଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score