Explore

Search

March 25, 2026 11:27 pm

ଆହୁରି ବଢିବ ତାତି

ଗ୍ରୀଷ୍ମ ଋତୁର ଆରମ୍ଭ ସହିତ ରାଜ୍ୟରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହୁଛି। ରାଜଧାନୀ ଭୁବନେଶ୍ଵର ସହିତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଖରା ଓ ତୀବ୍ର ଗରମର ପ୍ରଭାବ ଅନୁଭବ ହେଉଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି। ବିଶେଷକରି ଆସନ୍ତାକାଲି ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଁ ଅସହ୍ୟ ତାତି ଅନୁଭବ ହେବ।

ଏହାସହିତ, କିଛି ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ହାଲୁକା ବର୍ଷାର ସମ୍ଭାବନା ମଧ୍ୟ ରହିଛି । ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ଆସନ୍ତା ୨୭ ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ଥିବାରୁ ତୀବ୍ର ଗରମରୁ କିଛି ପରିମାଣରେ ଆଶ୍ୱସ୍ତି ମିଳିପାରେ। ବର୍ତ୍ତମାନ କୌଣସି ସକ୍ରିୟ ପାଣିପାଗ ପ୍ରଣାଳୀ ନଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବର୍ଷାର ବିଶେଷ ସମ୍ଭାବନା ନାହିଁ। ତଥାପି କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ଓ ଝଟକା ପବନ ବହିପାରେ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୭ ରୁ ୨୮ ତାରିଖ ମଧ୍ୟରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୨୭ ତାରିଖରେ ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ବଜ୍ରପାତ ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଏହି ସମସ୍ତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାରୁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୮ ତାରିଖରେ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡଘଡି ସହ ୪୦ରୁ ୫୦ କିମି ବେଗର ପବନ ବୋହିପାରେ, ଯାହାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହାସହ ୨୯ ଓ ୩୦ ତାରିଖରେ କିଛି ଅଞ୍ଚଳରେ ପାଗ ସାଧାରଣ ରହିପାରେ । କିନ୍ତୁ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ବିଜୁଳି ଘଡଘଡି ଜାରି ରହିବାର ସମ୍ଭାବନା ଥିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score