Explore

Search

January 14, 2026 7:31 am

ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା : ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ରାୟଗଡା/କୋରାପୁଟ: ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ । ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଏହି ଯୋଜନା ଅନ୍ତର୍ଗତ ଅନୁଯାୟୀ ତୀର୍ଥଯାତ୍ରାରେ ପାଖାପାଖି ୭୭୫ ଜଣ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି । ଦକ୍ଷିଣ-ପଶ୍ଚିମାଞ୍ଚଳ ଅନ୍ତର୍ଗତ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଲାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ ଜଣ ଏସକର୍ଟ ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ତୀର୍ଥଯାତ୍ରା କରିଛନ୍ତି। ରାମେଶ୍ବର ଓ ମଦୁରାଇ ଅଭିମୁଖେ ଏହି ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହାସହ ବରିଷ୍ଠ ନାଗରିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଉପମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସବୁବେଳେ ଓଡିଶାବାସୀଙ୍କ ସୁଖ ଓ କିପରି ସୁଖରେ ରହିବେ ସବୁ ବେଳେ ସେଥି ପ୍ରତି ଧ୍ୟାନ ଦେଇଆସିଛନ୍ତି। ସେହିପରି ପରିଣତ ବୟସରେ ବରିଷ୍ଠ ନାଗରିକଙ୍କୁ ଏହି ଯାତ୍ରା ଧାର୍ମିକ ସହାୟତା ପ୍ରଦାନ ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଆର୍ଥିକ ପରିସ୍ଥିତି ଓ ପାରିପାର୍ଶ୍ୱିକ ଅବସ୍ଥା ଯୋଗୁଁ ଅନେକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯିବାରୁ ବଞ୍ଚିତ ରହୁଥିଲେ । ତାହା ଦୂରେଇବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ସୁରୁଖୁରରେ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରେଳବାଇ ଆଇଆରସିଟିସି କର୍ତ୍ତୃପକ୍ଷ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଚଳିତ ଥର ୭୭୫ ଜଣ ତୀର୍ଥଯାତ୍ରୀ ଓ ୨୫ ଏସକଟ ଅଫିସର ମିଶି ମୋଟ ୮୦୦ ଜଣ ଯାତ୍ରୀ ଯାତ୍ରାର ସୁଯୋଗ ପାଇଛନ୍ତି । ଏହି ଯାତ୍ରା ସମୟରେ ତୀର୍ଥ ଯାତ୍ରୀମାନଙ୍କ ସମସ୍ତ ସୁବିଧା ରାଜ୍ୟ ସରକାର ବହନ କରିଛନ୍ତି । ତୀର୍ଥଯାତ୍ରୀମାନଙ୍କ ରହିବା, ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଜଗୁଆଳୀ, ପଥ ପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ।

ସେହିପରି କୋରାପୁଟରେ ମଧ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଏହି ଯାତ୍ରାରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ଏବଂ ୪ଟି ପୌରପାଳିକାରୁ ୧୬୮ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଗସ୍ତ କରୁଛନ୍ତି। କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହାସହ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଉତ୍ସାହିତ କରିବାସହ ସେମାନଙ୍କୁ ଯାତ୍ରା ପାଇଁ ଶୁଭକାମନା କରିଥିଲେ । ଏହି ଯାତ୍ରାରେ ୭୯ ପୁରୁଷ ଓ ୮୯ ମହିଳା ଯାତ୍ରୀ ଅଛନ୍ତି । ଏହି ଅବସରରେ ପ୍ରଥମପର୍ଯ୍ୟାୟରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କାରାଯିବା ସହିତ ଔଷଧ ବିତରଣ କରାଯାଇଥିଲା।

ଚଳିତବର୍ଷ ୧୦ ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ରାୟଗଡା ଠାରୁ ରାମେଶ୍ବର ଓ ମଦୁରାଇ ଭ୍ରମଣ ସ୍ଥିର କରାଯାଇଥିଲା। ଏଥିରେ ରାୟଗଡା ଜିଲ୍ଲାର ୧୧୮ ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୧୬୮ଜଣ, ନବରଙ୍ଗପୁର ୧୪୮ଜଣ, ମାଲକାନଗିରି ୭୫, ନୂଆପଡା ଜିଲ୍ଲାର ୭୪ ମଧ୍ୟ ଏବଂ କଳାହାଣ୍ଡିର ୧୯୨ ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା କରିଛନ୍ତି । ଗତକାଲି ଉକ୍ତ ଛଅଟି ଜିଲ୍ଲାର ତୀର୍ଥଯାତ୍ରୀଙ୍କୁ ରାୟଗଡାରେ ରହଣି ବ୍ୟବସ୍ଥା କରାଯାଇଥିଲା । ଏହାସହ ସେମାନଙ୍କ ମନ ଖୁସି କରିବା ପାଇଁ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏଥିରେ ତୀର୍ଥଯାତ୍ରୀ ଖୁସି ହେବାସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣେଇଥିଲେ । କହିଥିଲେ ଆମ ପାଇଁ ମୁଖ୍ୟମନ୍ତ୍ରୀ ଏତେ ସୁବିଧା କରିଥିବାରୁ ଆମେ ବହୁତ ଖୁସି । ଯେଉଁଠିକୁ ଆମେ କେବେ ବି ଯାଇ ପାରିନଥାନ୍ତୁ ସେହି ସ୍ଥାନକୁ ଆମେ ତୀର୍ଥ କରିବାକୁ ଯାଉଛୁ । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହେଲା । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ । ଆଉ ଆମକୁ ନେବା ଆଣିବା କରିବା ପାଇଁ ବସର ସୁବିଧା କରିଛନ୍ତି । ଆମେ କିଭଳି ଭଲରେ ତୀର୍ଥ କରିବୁ ସେଥିପାଇଁ ଆମର ସ୍ୱାସ୍ଥ୍ୟ ପରୀକ୍ଷା ବି କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score