Explore

Search

March 20, 2026 11:17 pm

ଆଜି ବିଶ୍ୱ ପଖାଳ ଦିବସ : ଶ୍ରୀମନ୍ଦିର ଭୋଗରୁ ଜନଜୀବନର ସଞ୍ଜୀବନୀ ପଖାଳ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳନ ହେଉଛି ‘ବିଶ୍ୱ ପଖାଳ ଦିବସ’ । ଘରଠୁ ନେଇ ପଞ୍ଚତାରକା ହୋଟେଲ ସବୁଠି ମହକୁଛି ପଖାଳର ବାସ୍ନା । ଓଡ଼ିଆ ସଂସ୍କୃତିର ଅଭିନ୍ନ ଅଂଶ ପଖାଳ, ଯାହା କେବଳ ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ଜୀବନଶୈଳୀ, ଭାବନା ଓ ପରମ୍ପରାର ପ୍ରତୀକ। ଘରେ ଘରେ କଂସା ପାତ୍ରରେ ପରସା ଯାଇଥିବା ପଖାଳ ସହ ବଡି ଚୁରା, ଶାଗ ଭଜା, କଞ୍ଚା ଲଙ୍କା ମିଶିଲେ ଏହାର ସ୍ୱାଦ ଅନ୍ୟ କୌଣସି ଆଡମ୍ବରପୂର୍ଣ୍ଣ ଭୋଜନକୁ ମଧ୍ୟ ପଛରେ ପକେଇ ଦେଇଥାଏ।

ଧାର୍ମିକ ଆସ୍ଥାରେ ମଧ୍ୟ ପଖାଳର ଗୁରୁତ୍ୱ ଅପାର। ପୁରୀ ଶ୍ରୀମନ୍ଦିରରେ ଶତାବ୍ଦୀଧରି ପଖାଳ ଭୋଗର ପରମ୍ପରା ଚାଲିଆସୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୈନିକ ଭୋଗର ଅଂଶ ଭାବେ ବିଭିନ୍ନ ସମୟରେ ଦହିପଖାଳ ପ୍ରସ୍ତୁତ କରାଯାଏ। ଜିରା, ଅଦା, ଦହି ଓ ଘିଅର ସୁଗନ୍ଧରେ ତିଆରି ଏହି ପଖାଳ ଭୋଗର ଏକ ବିଶେଷ ପରିଚୟ ରହିଛି। ମା’ ମହାଲକ୍ଷ୍ମୀଙ୍କ ପୂଜାରେ ମଧ୍ୟ ଏହାର ବିଶେଷ ସ୍ଥାନ ରହିଛି, ବିଶେଷକରି ମାଣବସା ଗୁରୁବାରରେ।

ପଖାଳକୁ ଜାତୀୟ ଓ ଆନ୍ତର୍ଜାତୀୟ ପରିଚୟ ଦେବା ପାଇଁ କିଛି ଯୁବକଙ୍କ ଉଦ୍ୟମ ଆଜି ବଡ଼ ଆନ୍ଦୋଳନର ଆକାର ନେଇଛି । ସୋସିଆଲ ମିଡିଆରେ ପଖାଳ ସେଲ୍ଫି ଟ୍ରେଣ୍ଡ ହେବା ପରେ ଏହା ଅଧିକ ଲୋକପ୍ରିୟ ହୋଇପାରିଛି। ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜ କଳାରେ ପଖାଳକୁ ଆଲୋକିତ କରି ଏହାର ମହତ୍ତ୍ୱକୁ ବିଶ୍ୱ ମଞ୍ଚରେ ନେଇଯାଇଛନ୍ତି।

ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସହରରେ ଆଜି ପଖାଳ ଦିବସ ଉତ୍ସାହର ସହ ପାଳନ ହେଉଛି । ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାରର ପଖାଳ ଥାଳି ପରିବେଷଣ କରାଯାଉଛି, ଯାହାରେ ନିରାମିଷ ଓ ଆମିଷ ବ୍ୟଞ୍ଜନର ଅନେକ ପ୍ରକାର ସମ୍ମିଳିତ । ତେବେ ଏହି ଆଡମ୍ବର ମଧ୍ୟରେ ମଧ୍ୟ ଶ୍ରମିକ ଶ୍ରେଣୀ ପାଇଁ ପଖାଳ ହେଉଛି ପ୍ରତିଦିନର ଶକ୍ତିର ଉତ୍ସ । ସହଜ ଉପକରଣରେ ପ୍ରସ୍ତୁତ ଏହି ଖାଦ୍ୟ ଗରମରେ ଶରୀରକୁ ଶୀତଳ ରଖିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ବୋଲି ଡାକ୍ତରମାନେ କହୁଛନ୍ତି ।

ଗୋଟେପଟେ ପଖାଳର ଆଡମ୍ବରପୂର୍ଣ୍ଣ ପ୍ରସ୍ତୁତି, ଅନ୍ୟପଟେ ସାଧାରଣ ଲୋକଙ୍କ ଦୈନିକ ଜୀବନରେ ଏହାର ସରଳ ରୂପ ଏହି ଦୁଇଟି ମିଶି ପଖାଳକୁ ଏକ ଅଲଗା ମର୍ଯ୍ୟାଦା ଦେଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score