ଦିନକୁ ଦିନ ବଢୁଛି ଅନଲାଇନ୍ ଟ୍ରାଞ୍ଜାକ୍ସନ l ତେବେ ବର୍ତ୍ତମାନ ୨ହଜାର ଟଙ୍କାରୁ ଊର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ କୌଣସି ଟିକସ ଲାଗିବନି ବୋଲି ସୂଚନା ମିଳିଛି। ୟୁପିଆଇର ମାଗଣା ସେବା ସମାପ୍ତ ହେବ ଏବଂ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ସରକାର ଜିଏସଟି ଲଗାଇବା ନେଇ ଚର୍ଚ୍ଚା ହେଉଥିଲା । ଏ ଚର୍ଚ୍ଚାର କୌଣସି ଆଧାର ନଥିବା ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି । ଏପରିକି ସରକାରଙ୍କ ନିକଟରେ ଏଭଳି କୌଣସି ପ୍ରସ୍ତାବ ମଧ୍ୟ ନଥିବା ସ୍ପଷ୍ଟୀକରଣ ରଖିଛି ଅର୍ଥ ବିଭାଗ । ଆଗରୁ କେବଳ କିଛି କ୍ଷେତ୍ରରେ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ବା ଏମଡିଆର ଉପରେ ଜିଏସଟି ଲାଗୁ ହେଉଥିଲା । ତେବେ ୨୦୨୦ ଜାନୁଆରୀରୁ ଏହି ମର୍ଚ୍ଚାଣ୍ଟ କାରବାର ଉପରେ ଏମଡିଆର ବ୍ୟବସ୍ଥାକୁ ହଟାଇ ନେଇଥିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡ ବା ସିବିଡିଟି । ଏ ସମ୍ପର୍କରେ ୨୦୧୯ ଡିସେମ୍ବର ୩୦ ଗେଜେ୍ଟ ନୋଟିଫିକେସନ୍ ଜରିଆରେ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ସରକାର ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୨୦ ହଜାର କୋଟି ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି । ପ୍ରତିଟି ସ୍ଥାନରେ ଛୋଟ ପରିବା ଦୋକାନୀଠୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ପର୍ଯ୍ୟନ୍ତ ସମସ୍ତେ ୟୁପିଆଇ ବ୍ୟବହାର କରୁଛନ୍ତି । ଏପରିକି ଦୈନନ୍ଦିନ ଜୀବନରେ ଘର ଭଡ଼ାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ୍ ପୈଠ ପାଇଁ ସାଧାରଣ ଲୋକେ ୟୁପିଆଇ ବ୍ୟବହାର କରୁଛନ୍ତି । ଏପରି ସ୍ଥଳେ ୟୁପିଆଇରେ ୨୦୦୦ରୁ ଅଧିକ ଟଙ୍କା ନେଣଦେଣ ଉପରେ ଜିଏସଟି ଲାଗିବା ଖବର ପ୍ରଚାରିତ ପରେ ସାଧାରଣରେ ଚିନ୍ତା ପ୍ରକାଶ ପାଇଥିଲା ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |