ମହିଳାମାନେ ଯେ କେବଳ ଘରର ଚାରି କାନ୍ଥ ଭିତରେ ରହି ଜୀବନ ଜିଇଁବାର ସ୍ବପ୍ନ ଦେଖନ୍ତି , ସେକଥା ଏବେ ଭୁଲ ପ୍ରମାଣିତ ହୋଇଛି । ମହିଳା ମାନେ ଆଜି ସଶକ୍ତ ହେଲେଣି । ନିଜେ ସ୍ୱାବଲମ୍ବୀ ହେବା ସହ ରୋଜଗାର କରି ସକ୍ଷମ ହୋଇ ପାରିଛନ୍ତି । ନିଜ ହାତ ମୁଠାକୁ ଶକ୍ତ କରି ଆଜି ସେମାନେ ସଫଳତାର ଗାଥା ଗାଉଛନ୍ତି । ମାଛ ଚାଷ ପାଇଁ ବଡ଼ ପୋଖରୀ କିମ୍ବା ଏକର ଏକର ଜାଗାର ଆବଶ୍ୟକତା ନାହିଁ । ପୋଖରୀ ପରିବର୍ତ୍ତେ ବଡ଼ ବଡ଼ କୁଣ୍ଡରେ ବି ହୋଇପାରିବ ଉନ୍ନତ ଧରଣର ମାଛ ଚାଷ । ଜଣେ ସାଧାରଣ ମାଛ ଚାଷୀ ଖୁବ୍ କମ୍ ଜାଗାରେ ମଧ୍ୟ ପ୍ରଚୁର ପରିମାଣର ମାଛ ଉତ୍ପାଦନ କରି ପାରିବ। ଯାହାକୁ କୁହାଯାଉଛି ‘ବାୟୋ ଫ୍ଲକ୍ ବା ଜୈବ ପଦ୍ଧତିରେ ମାଛ ଚାଷ । ଏହାକୁ ଏବେ ବାସ୍ତବରେ ପରିଣତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ହୁମ୍ମା ବ୍ଲକ ର ଏସଏଚଜିର ମହିଳା ମାନେ|
ମାତ୍ର କିଛି ଏକର ଜାଗାରେ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଏହି ଗୋଷ୍ଠୀ ର ମହିଳାମାନେ ଆରମ୍ଭ କରି ଦେଇଛନ୍ତି ପ୍ରୟାସ। ଏଥିନିମନ୍ତେ ସେମାନେ ପୋଖରୀ ଖୋଳିବା ପରିବର୍ତ୍ତେ ପ୍ଲାଷ୍ଟିକ୍ର ୫ଟି ବଡ଼ ବଡ଼ ୧୦ ଲିଟରିଆ ବାୟୋ ଫ୍ଲକ୍ ଟ୍ୟାଙ୍କ ବସାଇଛନ୍ତି। ଆଉ ସେଥିରେ କରିଛନ୍ତି ଦେଶୀ ମାଗୁର ମାଛ ଚାଷ । ଏହି ପଦ୍ଧତିରେ ମାଛଚାଷ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ତାଲିମ ଏବଂ ଆର୍ଥିକ ସହାୟତା ସ୍ୱରୂପ ୩,୫୦୦୦୦ ଟଙ୍କାର ସହାୟତା ଯୋଗାଇଦିଆଯାଇଛି |ଠିକ୍ ଭାବେ ମାଛ ଉତ୍ପାଦନ ହେଲେ ଏତିକି ଜାଗାରୁ ବହୁମାତ୍ରାରେ ଲାଭ ମିଳିପାରିବ ବୋଲି ସେମାନେ କହିଛନ୍ତି |
ପୋଖରୀରେ ମାଛ ଚାଷ ସମୟରେ ଯଦି ରୋଗ ବ୍ୟାପେ ତେବେ କ୍ଷତିର ଯଥେଷ୍ଟ ସମ୍ଭାବନା ରହିଛି । ଏଥିସହ ପୋଖରୀରେ ଖାଦ୍ୟ ଓ ଔଷଧରେ ମଧ୍ୟ ଅଧିକ ଅପବ୍ୟୟ ହୋଇଥାଏ । କିନ୍ତୁ ଏହି ପ୍ରଣାଳୀରେ ରୋଗ ବ୍ୟାପିଲେ ତୁରନ୍ତ ପାଣି ନିଷ୍କାସନ ପାଇଁ ଇଣ୍ଟରନାଲ୍ ପାଇପ ରହିଛି। ସେହିଭଳି ମାଛକୁ ଅମ୍ଳଜାନ ଯୋଗାଇବା ପାଇଁ ଅକ୍ସିଜେନ୍ ପମ୍ପିଂ ସିଷ୍ଟମ ଏବଂ ନିୟମିତ ଭାବେ ଖାଦ୍ୟ ଏବଂ ପାଣିର ପି .ଏଚ ଟେଷ୍ଟ କରିବା ପାଇଁ ମଧ୍ୟ ମହିଳାମାନଙ୍କୁ ତାଲିମ ଦିଆଯାଇଛି । ଏହି ପଦ୍ଧତିରେ ଜୀବାଣୁ ମୁକ୍ତ ମାଛ ଉତ୍ପାଦନ ହୋଇପାରିବ ବୋଲି କହିଛନ୍ତି ଏହି ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳାମାନେ |
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |