Explore

Search
Close this search box.

Search

November 5, 2024 9:16 am

Genres

ଆଧୁନିକତା ଆଳରେ ବୁଡ଼ିଯାଉଛି ପାରମ୍ପରିକ ମାଟି ଦୀପ:ପରିବାର ପୋଷଣକୁ ନେଇ ଚିନ୍ତାରେ କୁମ୍ଭାର

Handmade Clay Diya

ଆଗକୁ ଆସୁଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇ ଉଠିଛି ଚଳଚଞ୍ଚଳ। ପାରମ୍ପାରିକ ଭାବରେ, ଦୀପାବଳି ପାଳନ କରିବା ହେଉଛି  ଏକତା, ଆନନ୍ଦ ଏବଂ ଆମ ସଂସ୍କୃତିକ ପରମ୍ପରାର ଏକ ଅପୂର୍ବ ସଂଯୋଗ ତେବେ ନିକଟ ଅତୀତରେ ଏହି ପର୍ବରେ ମଧ୍ୟ ଲାଗିଛି ଆଧୁନିକତାର ସ୍ପର୍ଶ । ଆଜିକାଲି ଦୀପାବଳି ଆସିଲେ ଆଉ କୁମ୍ଭାର କି ଫୁଲ ,ବାଣ ଦୋକାନରେ ଭିଡ ଦେଖିବାକୁ ମିଳୁନି ଏହା ବଦଳରେ ଚିକ୍ ମିକ୍ ଆଲୁଅରେ ଦୀପାବଳି ମନାଉଛନ୍ତି ଲୋକେ । ନୂଆ ଲୁଗାପଟା ପାଇଁ ଆଉ ଗାଁ ଛକ ଦୋକାନରେ ବି ଭିଡ ଦେଖାଯାଉନି ଏହା ବଦଳରେ ଘରେ ଘରେ ଆସି ପହଁଚୁଛନ୍ତି ଡେ଼ଲିଭରି ବଏ, ଗାଁ ଦାଣ୍ଡରେ ମାଟିଦୀପ, ତେଲ ସଳିତା ଵାଲା ର ଡ଼ାକ ବଦଳାରେ ଫୋନ୍ କୁ ଆସୁଛି ନୋଟିଫିକେସନ “Your Order will be Deliver Today” ତେବେ ଏହି ସବୁ କୁ ଦେଖିଲେ ମନେ ପଡେ ସେହି ସବୁ ପୁରୁଣା କଥା ସତରେ କେତେ ନିଆରା ଥିଲା ଏହି ପର୍ବର ଆନନ୍ଦ । ବାପାଙ୍କ ସହ ବଜାରରୁ ଯାଇ ମାଟି ଦୀପ କିଣିବା ଠାରୁ ଆରମ୍ଭ କରି ସପରିବାର ମିଶି ଘର ସଫା କରିବା ସହ ପୁରା ପରିବାର ସହ ମିଶି ଦୀପାବଳୀ ମନେଇବା ସବୁର ଥିଲା କିଛି ନିଆରା ଅନୁଭୂତି । ହେଲେ ଆଜି ସେ ସବୁ ଆଉ ଦେଖିବାକୁ ମିଳୁନି ସମୟ ବଦଳିବା ସାଙ୍ଗକୁ ଗ୍ରାହକଙ୍କ ଚାହିଦା ମଧ୍ୟ ବଦଳିଛି । ଦୀପାବଳିକୁ ଆଲୋକିତ କରିବା ପାଇଁ ଦୀପ ବଦଳରେ ଲିଚୁ ଲାଇଟ ଓ ଅନ୍ୟ ଇଲେକ୍ଟ୍ରି ସାମଗ୍ରୀକୁ  ଆପଣେଇଛନ୍ତି ଗ୍ରାହକ। କାରଣ ବଜାରରେ ପ୍ଲାଷ୍ଟିକ, ଷ୍ଟିଲ, ଆଲୁମିନିୟମ ସାମଗ୍ରୀ ବ୍ୟାପିବାରେ ଲାଗିଛି । ଲୋକେ ଚାକଚକ୍ୟ ସାମଗ୍ରୀ କୁ ପସନ୍ଦ କରୁଛନ୍ତି । ଏଭଳି ସମୟରେ କୁମ୍ଭକାରଙ୍କ ମାଟିରେ ତିଆରି ସାମଗ୍ରୀ ପ୍ରତି ଲୋକେ ମୁହଁ ମୋଡି ଚାଲିଯାଉଛନ୍ତି ।

ଦୀପାବଳି ସହ ମାଟି ଦୀପର ମହତ୍ୱ କାହିଁ କେତେ ପୁରୁଣା ଏଥି  ସହିତ ଦୀପାବଳିରେ ପୂର୍ବପୁରୁଷମାନଙ୍କ ଶ୍ରାଦ୍ଧ କରିବା ପରେ ସନ୍ଧ୍ୟାରେ କାଉଁରୀ କାଠିରେ ପୂର୍ବପୁରୁଷମାନଙ୍କୁ ବିଦାୟ ଦେବାର ପରମ୍ପରା ମଧ୍ୟ ଖୁବ ନିଆରା ତେବେ ଆସନ୍ତୁ ଜାଣିବା ଏହି ସବୁ ପଛରେ ଥିବା ପାରମ୍ପରିକ ମହତ୍ବ ।

ଦୀପାବଳିରେ କୁମ୍ଭକାରଙ୍କ ମହତ୍ବ :

ଓଡ଼ିଆ ଇତିହାସରେ କୁମ୍ଭକାର ମାନଙ୍କୁ ମାଟିର ମଣିଷ ବୋଲି କୁହା ଯାଇଥାଏ । କାରଣ ବର୍ଷ ତମାମ କୁମ୍ଭକାର ସର୍ବଦା ସମାଜ ରେ ସମର୍ପଣ ଭାବନେଇ ମାଟି ସହିତ ମାଟି ହୋଇ କାମ କରିଥାଏ । ବିବାହ, ବ୍ରତ,ହୋମ, ଯଜ୍ଞ, ଶୁଦ୍ଧି କ୍ରିୟା, ପୂଜା ପାର୍ବଣରେ କୁମ୍ଭକାର ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । କୁମ୍ଭକାର ମାଟିରେ ତିଆରି ସାମଗ୍ରୀ ଯଥା ଦୀପ, ମାଟିପାତ୍ର, ସରା, ହାଣ୍ଡି, ମାଠିଆ ନଦେଲେ ଶୁଭକାମ କରିବା ସମ୍ଭବନୁହେଁ । ତେଣୁ ଓଡ଼ିଆ ପର୍ବର ପ୍ରତିଟି  କ୍ଷେତ୍ରରେ ଏହି କୁମ୍ଭକାରମାନଙ୍କର ବେଶ ଗୁରୁତ୍ୱ ରହିଛି ।ପୂଜାପାର୍ବଣ ଠାରୁ ବିଭିନ୍ନ ଶୁଭ କାର୍ୟ୍ୟରେ ଏହି ମାଟି ଦୀପର ଚାହିଦା ଅଧିକ ରହିଥାଏ । କିନ୍ତୁ ଏହାକୁ ନିର୍ମାଣ କରୁଥିବା କୁମ୍ଭାର ସମ୍ପ୍ରଦାୟର ବୃତ୍ତି ଯିବି ଏବେ ସଂକଟରେ ଗତି କରୁଛି । ଏହି ସବୁ ପାରମ୍ପରିକ ସାମଗ୍ରୀର  ସ୍ଥାନ ଏବେ ଚାଇନା ସାମଗ୍ରୀ ଯଥା ବିଦ୍ୟୁତ୍‌ ଆଲୋକ ମାଳା ନେଇଗଲାଣି। କୁମ୍ଭାର ପରିବାର ପ୍ରତିବର୍ଷ ଅଳ୍ପାଅଳ୍ପୀ ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି। ପ୍ଲାଷ୍ଟିକ, ରଙ୍ଗବେରଙ୍ଗ ଆଲୋକ ମାଳ ଓ ଦୀପ ଏବଂ ଅନ୍ୟ ଧାତବ ସାମଗ୍ରୀର ଚାହିଦା ବୃଦ୍ଧି ହେତୁ ମାଟି ପ୍ରସ୍ତୁତ ସାମଗ୍ରୀ ଲୋପ ପାଇବାକୁ ବସିଲାଣି। ହିନ୍ଦୁ ରୀତିନୀତି, ଦଶାହ କାର୍ଯ୍ୟ ଏବଂ ଦୀପାବଳି ଭଳି କିଛି କାର୍ଯ୍ୟ ହେତୁ କିଛି ମାତ୍ରାରେ ଏହି ବୃତ୍ତି ଜୀବିତ ଅଛି। ନଚେତ ଡିଜିଟାଲ ଦୁନିଆରେ ଗ୍ରୀଟିଙ୍ଗସ ଲୋପ ପାଇବା ଭଳି ଏହି ବୃତ୍ତି ମଧ୍ୟ ଲୋପ ପାଇଯାଇସାରନ୍ତାଣି ।କୁମ୍ଭକାରମାନେ ନିଜସ୍ବ ବୃତ୍ତି ଛାଡି ପାରୁନଥିବା ବେଳେ ସେମାନଙ୍କୁ କିନ୍ତୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ।

ଖାଲି ଜେ ଚାଇନା ସାମଗ୍ରୀ ଯଥା ବିଦ୍ୟୁତ୍‌ ଆଲୋକ ମାଳା ଆଦି ପାଇଁ ଏବେ ଏହାର ଚାହିଦା କମୁଚି ତାହା ନୁହେଁ  ଏହା ପଛରେ ଆହୁରି ମଧ୍ୟ ଅନେକ କାରଣ ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ସବୁ କାରଣ, ପ୍ରଥମତଃ ପୁରୁଣା କାରିଗରମାନେ ଆରପାରିକୁ ଚାଲିଯିବା ପରେ ଏବେକାର ଯୁବକ ମାନେ ଆଉ ଆଗ୍ରହ ପ୍ରକାଶ କରୁ ନଥିବାରୁ ଏହି କାମ କରୁଥିବା ପରିବାର ସଂଖ୍ୟା ଏବେ କମି ଗଲାଣି । ତେବେ ବର୍ତ୍ତମାନ ସମୟରେ ଉପଯୁକ୍ତ ମାଟି ମିଳୁନଥିବା ବେଳେ କାଠର ଅଭାବ ସେମାନଙ୍କ ବୃତ୍ତିରେ ବାଧକ ସାଜିଛି । ତେଣୁ ପୂର୍ବ ବର୍ଷ ମାନଙ୍କ ଭଳି ଅଧିକ ସାମଗ୍ରୀ ତିଆରି ହୋଇ ପାରୁନାହିଁ । ଲାଭ ମଧ୍ୟ ଆଗ ଭଳି ହେଉ ନାହିଁ । ତଥାପି ଏମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି କୁମ୍ଭାରମାନଙ୍କ ପାଇଁ ବଜାର ସୁବିଧା ନାହିଁ । ନିଜେ ତିଆରି କରୁଥିବା ଜିନିଷକୁ ନିଜେ ନିକଟସ୍ଥ ହାଟ ବଜାରକୁ ନେଇ ବିକ୍ରି କରୁଛନ୍ତି । କିଛି କାରିଗର ସାଇକେଲ ଯୋଗେ ଗାଁ ଗାଁ ବୁଲି ବିକ୍ରି କରିବାକୁ ପଡୁଛି । ଫଳରେ ବାଧ୍ୟ ହୋଇ ସେମାନଙ୍କୁ କମ ଦାମରେ ବିକ୍ରି କରିବାକୁ ପଡୁଛି । ମାଟି ଓ କାଠର ଅଭାବ ଯୋଗୁଁ ତିଆରି କରିବାକୁ ଯେତିକି ପରିଶ୍ରମ ଓ ଖର୍ଚ୍ଚ ହେଉଛି ସେହି ଅନୁପାତରେ ଲାଭ ହେଉ ନାହିଁ । ଅନ୍ୟ ପକ୍ଷରେ ଏହି କୁମ୍ଭକାର ପରିବାର ଗୁଡିକ ସେହି ଚିରାଚରିତ ପଦ୍ଧତିରେ ସାମଗ୍ରୀ ତିଆରି କରୁଛନ୍ତି । ତେଣୁ ବିଶେଷ ଆକର୍ଷଣୀୟ ହୋଇପାରୁନାହିଁ । ଆଜି କାଲି ବଜାରରେ ବାହାର ରାଜ୍ୟର ରଙ୍ଗ ବେରଙ୍ଗ ମାଟି ଦୀପ ଓ ଅନ୍ୟାନ୍ୟ ସାମଗ୍ରୀ ଲୋକଙ୍କୁ ଆକର୍ଷିତ କରୁଛି । ତେଣୁ ଏହି କୁମ୍ଭକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଆଦର କମିବାରେ ଲାଗିଛି ।

ତେବେ ଦେଖିବାକୁ ଗଲେ ଖାଲି କୁମ୍ଭାର ନୁହଁ ଅନ୍ୟାନ୍ୟ ବୃତ୍ତିଧାରୀ ଲୋକମାନଙ୍କ ଚାହିଦା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି ସଜ ଫୁଲ ପାଇଁ ଆଉ ଦୋକାନ ରେ ଭିଡ ଲାଗୁନି ଏହା ବଦଳରେ ଲୋକେ ପ୍ଲାଷ୍ଟିକ ଫୁଲରେ ଘର ସଜେଇବା ପସନ୍ଦ କରୁଛନ୍ତି ଘର ତିଆରି ଓଡ଼ିଆ ପିଠା ପଣା ବଦଳରେ ଘରେ ଘରେ ସୋନପାମ୍ପଡି, ଡ୍ରାଏ ଫ୍ରୁଟ , କୋଲଡ୍ରିଙ୍କ ଆଦିର ବ୍ୟବହାର ହେଉଛି । ତେଣୁ ସତରେ କଣ ଏହା ଆମର ପରିଚୟ, ନିଜର ସଂସ୍କୃତି ,ପରମ୍ପରା ,ପାରମ୍ପରିକ କାରିଗରୀ ବୃତ୍ତି , ଖାଦ୍ୟପେୟ ଆଦିକୁ ଅଣଦେଖା କରି ଆଧୁନିକତାର ସୁଅରେ ଭାସିଯାଇ ପାଶ୍ଚାତ୍ୟ ସଂସ୍କୃତି କୁ ଆପଣେଇବା କେତେ ଦୂର ଯୁକ୍ତିଯୁକ୍ତ ,ବାସ୍ତବରେ କଣ ଏହା ଆମକୁ ବିକଶିତ ମାନସିକତାର  ପରିଚୟ ପ୍ରଦାନ କରୁଛି ଥରେ ଭାବି ଦେଖନ୍ତୁ  ?

ତେଣୁ ଆଗାମୀ ଦୀପାବଳି ଯେପରି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ସମସ୍ତଙ୍କ ଜୀବନରେ ଖୁସି ଉଲ୍ଲାସ ଉର୍ନ୍ନତି ଭରିଦେଉ ଏବଂ ଏଥିସହ ସମସ୍ତଙ୍କର ମୁହଁରେ ଭରିଦେବା ସହ ନୂଆ ଚେତନାର ଜାଗରଣ  ଆଣିଦେଉ ଏତିକିହିଁ କାମନା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score