Explore

Search

March 28, 2025 9:15 pm

Genres

ମୋଦିଙ୍କ ମନ୍ କୀ ବାତ୍‌ ରେ ସାନ୍ତାଳୀ ପୁଅ ରାମଜିତ ଟୁଡୁ:ସାନ୍ତାଳୀ ଭାଷାର ପ୍ରସାର ପାଇଁ ପ୍ରଶଂସା କଲେ ମୋଦି

ମୋଦିଙ୍କ ମନ୍ କୀ ବାତ୍‌ ରେ ସାନ୍ତାଳୀ ପୁଅ ରାମଜିତ ଟୁଡୁ:ସାନ୍ତାଳୀ ଭାଷାର ପ୍ରସାର ପାଇଁ ପ୍ରଶଂସା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍‌ରେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ମୟୂରଭଞ୍ଜର ରାମଜିତ ଟୁଡୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାଷା ହେଉଛି ସଭ୍ୟତାର ପରିଚୟ। ‌ଭାରତରେ ଅନେକ ଭାଷା ଓ ଉପଭାଷା ମଧ୍ୟରୁ ସାନ୍ତାଳୀ ଅନ୍ୟତମ। ଏହି ଭାଷାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିବାହେତୁ ତାଙ୍କୁ ମିଳିଛି ଏହି ପ୍ରଶଂସା ଏଥିସହ ରାମଜିତ୍‌ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି|ରାମଜିତ୍‌ଙ୍କ ଘର ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଳକ୍‌ ଅନ୍ତର୍ଗତ ବାଦାମପାହାଡ଼ ନିକଟ ଗୋବିନ୍ଦପୁର ଗାଁରେ। ଯୁକ୍ତ ୨, ଡିପ୍ଲୋମା ପରେ ସେ ଏବେ ଯଶୀପୁର ତହସିଲରେ ସହାୟକ ରାଜସ୍ବ ନିରୀକ୍ଷକ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସପେକ୍ଟର) ଭାବେ ନିଯୁକ୍ତି ପାଇଥିବା ବେଳେ କେନ୍ଦୁଝର ବୋଦାପଳଶାସ୍ଥିତ ତାଲିମ୍‌ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି।

ସାନ୍ତାଳୀ ଭାଷା‌ର ବିକାଶ ପାଇଁ ରାମଜିତ୍‌ ୧୦ ବର୍ଷ ତଳୁ ଉଦ୍ୟମ ଆରମ୍ଭ କରିଥିଲେ। ‌୨୦୧୪ରେ ସେ ଯେତେବେଳେ ପ୍ରଥମ ଆଣ୍ଡ୍ରଏଡ୍‌ ଫୋନ୍‌ କିଣିଥିଲେ, ସେଥିରେ ସାନ୍ତାଳୀରେ ଲେଖିବା ବ୍ୟବସ୍ଥା ନ ଥିଲା। ବିଭିନ୍ନ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ସାନ୍ତାଳୀ (ଅଲ୍‌ଚିକି) ଭାଷାର ପ୍ରୟୋଗ ପାଇଁ ଉଦ୍ୟମ କରିବା ପରେ ଯଦିଓ ସେ କିଛି ମାତ୍ରାରେ ସଫଳ ହୋଇଥିଲେ, କିନ୍ତୁ ସେଥିରେ ସନ୍ତୁଷ୍ଟ ହୋଇ ପାରିନଥିଲେ।ପରେ ରାମଜିତ୍‌ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌‌ରେ ‘ଅଲ୍‌ଚିକି ଟେକ୍‌’ ନାମରେ ଏକ ପେଜ୍‌ ଖୋଲିଥିଲେ। ନିଜ ସମଭାବାପନ୍ନ ଯୁବକ ଅଶ୍ବିନୀ ବଞ୍ଜନ ମୁର୍ମୁ ଓ ବାପି ମୁର୍ମୁଙ୍କ ସହ ମିଶି ସାନ୍ତାଳୀ ଭାଷାର ପ୍ରୟୋଗ ଓ ବ୍ୟବହାରକୁ ଗୁରୁତ୍ବ ଦେଲେ। ଏହି ପେଜ୍‌ରେ ସେ ଅଲ୍‌ଚିକି ଭାଷାର ବିଭିନ୍ନ ପ୍ରକାର ଟୁଲ୍‌ସ, ବୈଷୟିକ ଜ୍ଞାନକୌଶଳ ଜଣାଇବା ସହ ଧୀରେ ଧୀରେ ଏହାର ପ୍ରଚାରପ୍ରସାର କରାଇଲେ। ଏହି ‘ଅଲ୍‌ଚିକି ଟେକ୍‌ ପେଜ୍‌’ ଭାରତ ସମେତ ବାଂଲାଦେଶ ଓ ‌‌ନେପାଳରେ ଲୋକପ୍ରିୟତା ହାସଲ କରିଥିଲା। ପରେ ସେ ‌ସାନ୍ତାଳୀ ୱିକିପିଡିଆ ଆରମ୍ଭ କଲେ। ଏଥିରେ ସେ ସାନ୍ତାଳୀ ଭାଷାରେ ୧୧ଶହରୁ ଅଧିକ ଲେଖା ପ୍ରକାଶ କରାଇଛନ୍ତି। ଏବେ ସେ ସାନ୍ତାଳୀ ଭାଷାର ପ୍ରଚାରପ୍ରସାର ପାଇଁ ‘ଓ’ ଫାଉଣ୍ଡେସନ୍‌ ସହ କାମ କରୁଛନ୍ତି। ରାମଜିତ୍‌ଙ୍କ କହିବା କଥା ହେଲା, ସା‌ନ୍ତାଳୀ ଭାଷାର ସଂରକ୍ଷଣ ପାଇଁ ବିଶ୍ବସ୍ତରରେ ସହଯୋଗ ଆବଶ୍ୟକ। ସେଥିପାଇଁ ‘ଓ’ ଫାଉଣ୍ଡେସନ‌୍‌ ସହ ସାମିଲ ହୋଇ ସେ ଏ ଦିଗରେ କାମ କରୁଛନ୍ତି।

ତାଙ୍କର ଏହି ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଆଜି ସାନ୍ତାଳି ଭାଷା ପହଞ୍ଚିପାରିଛି ।ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ପଢ଼ିବା ସହ ଲେଖାଯାଇପାରୁଛି। ସରକାରୀ ଚାକିରୀ ରେ ଥାଇ ମଧ୍ୟ ସମୟ ବାହାର କରି ନିଜ ମାତୃଭାଷା ଲାଗି ସେ ଯାହା କରିଛନ୍ତି ସେ ଲାଗି ସମଗ୍ର ସାନ୍ତାଳୀ ସମାଜ ପକ୍ଷରୁ ସେ ପ୍ରଶଂସାର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score