Explore

Search

November 19, 2025 2:05 am

ପରଲୋକରେ ବିଶିଷ୍ଟ ଭାଷ୍ୟକାର ଶିକ୍ଷାବିତ୍ ପ୍ରଫେସର ସଞ୍ଜୟ କୁମାର ଶତପଥୀ

sanjay kumar satpathy passes away

ଭୁବନେଶ୍ୱର/ ଭବାନୀପାଟଣା : ବିଶିଷ୍ଟ ଶିକ୍ଷାବିତ୍ ତଥା କଳାହାଣ୍ଡିସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ(୬୩) ଙ୍କ ବୁଧବାର ପରଲୋକ ଘଟିଛି। କର୍କଟ ରୋଗରେ ପୀଡ଼ିତ ହୋଇ ପ୍ରଫେସର ଶତପ‌ଥୀ ଦୀର୍ଘଦିନରୁ ଅସୁସ୍ଥ ଥିଲେ। କିଛିଦିନ ତଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁରୀ ସ୍ବର୍ଗଦ୍ଵାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରଫେସର ଶତପଥୀଙ୍କ ବିୟୋଗରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଫେସର ଶତପଥୀ ଶିକ୍ଷାବିତ୍ ହେବାସହ ଜଣେ ସୁବକ୍ତା, ଉଦ୍‌ଘୋଷକ, ସଂସ୍କୃତି ଗବେଷକ ଭାବେ ଜଣାଶୁଣା ଥିଲେ। ଏଥିସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଭାଷ୍ୟକାର ଭାବେ ସେ ସମଗ୍ର ରାଜ୍ୟରେ ପରିଚିତ ଥିଲେ। ଦୂରଦର୍ଶନରେ ଏକାଧିକ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ ନିଜ କାର୍ଯ୍ୟ ନିର୍ବାହ କରିଥିଲେ। ରେଭେନ୍ସା କଲେଜରେ ସ୍ନାତକୋତ୍ତର କରିବା ପରେ ସେ ସେ ୧୯୮୪ରେ କଟକ କଲେଜରେ ବାଣିଜ୍ୟ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆଠଗଡ଼ର ଗୋପବନ୍ଧୁ ମହାବିଦ୍ୟାଳୟ, ରାଉରକେଲାର ସାନ୍ଧ୍ୟ ମହାବିଦ୍ୟାଳୟ, ଭବାନୀପାଟଣା କଲେଜ, ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ, ବାରିପଦା କଲେଜ, ଭୁବନେଶ୍ବର ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ନେଇଥିଲେ। ୨୦୨୧ରେ ପ୍ରଫେସର ଶତପଥୀ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ପ୍ରଫେସର ଶତପ‌ଥୀଙ୍କ ଦେହାନ୍ତରେ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score