ଦିଲ୍ଲୀ: ଦିଲ୍ଲୀରେ ଫେବୃଆରୀ ମାସରେ ହୋଇପାରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ଆରମ୍ଭ ହୋଇଯାଇଛି। ଦିଲ୍ଲୀର କାଲକାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଆତିଶୀ ମାରଲେନା ପ୍ରାର୍ଥୀ ହେବା ନେଇ ଦଳ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ଟକ୍କର ଦେଇପାରନ୍ତି ପୂର୍ବତନ ଆମ୍ ଆଦମୀ ପାର୍ଟିର ବିଧାୟିକା ତଥା ଏବେକାର କଂଗ୍ରେସ ନେତ୍ରୀ ଅଲକା ଲାମ୍ବା । ଏନେଇ କଂଗ୍ରେସ ତରଫରୁ କିଛି ସ୍ପଷ୍ଟ କରାଯାଇନଥିଲେ ବି ଦଳୀୟ ବୈଠକରେ ଏହା ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଅଲକା ଲାମ୍ବା ଏହି ଆସନରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । ହେଲେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ ବୁଝାସୁଝା କରିବା ପରେ ସେ ପ୍ରାର୍ଥୀ ହେବାକୁ ରାଜି ହୋଇଥିବା ସୂତ୍ର ସୂଚନା ରହିଛି ।
ଅଲକା ଲାମ୍ବା ପ୍ରଥମେ ଆମ୍ ଆଦମୀ ପାର୍ଟି ଟିକେଟରୁ ଚାନ୍ଦିନ ଚୌକ ଆସନରୁ ବିଧାୟିକା ଥିଲେ। ଗତଥର ସେ ଚାନ୍ଦିନ ଚୌକ ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଚଳିତ ଥର ବି ଚାନ୍ଦିନ ଚୌକରୁ ପ୍ରର୍ଥୀ ହେବାକୁ ସେ ଦଳୀୟ ଫୋରମରେ ପ୍ରସ୍ତାବ ରଖିଥିଲେ । ହେଲେ ଦଳ ଚାନ୍ଦିନ ଚୌକ ଆସନରୁ ମୁଦିନ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି । ଏହାସହ ଅଲକା ଲାମ୍ବାଙ୍କୁ ଆତିଶୀଙ୍କ ବିପକ୍ଷରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ।
ସେପଟେ ଦିଲ୍ଲୀ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହେବାକୁ ଯାଉଥିବା ବେଳେ କଂଗ୍ରେସ ସନ୍ଦୀପ ଦିକ୍ଷୀତଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ଜଙ୍ଗପୁର ବିଧାନସଭା କ୍ଷେତ୍ରରେ ମନୀଷ ସିସୋଦିଆଙ୍କ ବିରୋଧରେ କଂଗ୍ରେସ ଫରହାଦ ସୁରୀଙ୍କ ନାମ ଘୋଷଣା କରିଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |