ଆସନ୍ତା ୨୦୨୫ ଜାନୁଆରି ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଅନୁଷ୍ଠିତ ହେବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋଗୋ ଉନ୍ମୋଚନ କରିଥିଲେ। ଜାନୁଆରି ୨୯ ତାରିଖ ଯାଏଁ ଚାଲିବ ଏହି କନକ୍ଲେଭ।
ଓଡ଼ିଶାକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତି ବିଦ୍ୟା ସହିତ ପ୍ରମୁଖ କ୍ଷେତ୍ର ଗୁଡ଼ିକରେ ନିବେଶ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ନିବେଶକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆୟୋଜନ କରାଯାଉଛି। ଏଥିରେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ରାଜ୍ୟରେ ଥିବା ସୁଯୋଗ ଓ ସମ୍ଭାବନାକୁ ପ୍ରଦର୍ଶିତ କରିବ ଓଡ଼ିଶା।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଆମର ଲକ୍ଷ୍ୟ ହେଉଛି ଯୋଜନାରୁ ସହଯୋଗିତା ଓ ସହଯୋଗିତାରୁ ପ୍ରଗତି ଆଡ଼କୁ ଅଗ୍ରସର ହେବ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ରାଜ୍ୟର ଅନୁକୂଳ ବ୍ୟବସାୟ ପରିବେଶ, ପ୍ରମୁଖ କ୍ଷେତ୍ର ଓ ନୂଆ ସୁଯୋଗ ଉପରେ ଆଲୋକପାତ କରାଯିବ ବୋଲି ସେ କହଛନ୍ତି। ଏଥି ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ହେବ ବୋଲି ସେ କହିଛନ୍ତି। ଆଜିର ଲୋଗୋ ଉନ୍ମୋଚନ ଓଡ଼ିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
ଏଥି ସହିତ ଓଡ଼ିଶା ସରକାର ନିବେଶକମାନଙ୍କୁ ରାଜ୍ୟରେ ସବୁ ପ୍ରକାର ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଦେବା ସହ ଶିଳ୍ପ ଭିତ୍ତିଭୂମିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ।
ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଏଠାରେ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ, ବିଶିଷ୍ଟ ଶିଳ୍ପପତି ଏବଂ ପ୍ରମୁଖ ଶିଳ୍ପ ସଙ୍ଗଠନର ସଦସ୍ୟମାନେ ଯୋଗ ଦେଇଥିଲେ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |