Explore

Search

March 27, 2025 2:04 am

Genres

ଓଡ଼ିଶା ହେବ ମାନବ ସମ୍ବଳ କେନ୍ଦ୍ର- ମୁଖ୍ୟମନ୍ତ୍ରୀ

Mohan Majhi : BJP Government

ଭୁବନେଶ୍ବର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରରେ ସୋମବାର ରାଜ୍ୟସ୍ତରୀୟ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ରାଜ୍ୟର ପ୍ରଥମ କୌଶଳ ଭବନର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟରେ ଦକ୍ଷତା ବିକାଶ ଗୁଣାତ୍ମକ ଉନ୍ନତି ବିଷୟରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ।

 

ଓଡ଼ିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଆଗାମୀ ୨-୩ ବର୍ଷ ମଧ୍ୟରେ ଆମର ଯୁବ ପିଢ଼ି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ ଶିଳ୍ପର ଚାହିଦା ଅନୁଯାୟୀ ଯୋଗ୍ୟତା ହାସଲ କରି ନିଯୁକ୍ତି ପାଇପାରିବେ। ଯୁବପିଢ଼ି ଆମ ରାଜ୍ୟର ଭବିଷ୍ୟତ। ସେମାନଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ” କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଏପରି ଏକ ରାଜ୍ୟର ପରିକଳ୍ପନା କରୁଛୁ ଯେଉଁଠାରେ ଯୁବ ବର୍ଗର ପ୍ରତ୍ୟେକ ବ୍ୟକ୍ତି ନିଜ ମନୋନୀତ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜକୁ ସଶକ୍ତ କରିପାରିବେ। ଯୁବପିଢ଼ି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏହି ସୁଯୋଗର ସୁବ୍ୟବହାର କରିବେ ବୋଲି ମୋର ବିଶ୍ବାସ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍‌ଘାଟନ ହେବା ସହିତ ଏହି ଭଳି ଆଉ ୯ଟି କୌଶଳ କେନ୍ଦ୍ର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଓଡ଼ିଶାକୁ ପର୍ଯ୍ୟଟନର ଏକ ହବ୍‌ ଭାବେ ପ୍ରତିଷ୍ଠା କରିବା କ୍ଷେତ୍ରରେ ଏହି କୌଶଳ ଭବନଗୁଡ଼ିକ ଦକ୍ଷ ମାନବ ସମ୍ବଳର ବିକାଶ କରିବାରେ ସକ୍ଷମ ହେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

 

ସେହିପରି ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ‘ସି.ଏମ – ଆସ୍ପାୟାର’ ଯୋଜନାର ଘୋଷଣା ମଧ୍ୟ କରିଥିଲେ। ଏଥିରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ସ୍ଥାପିତ ମଡେଲ କ୍ୟାରିୟର ସେଣ୍ଟରଗୁଡିକୁ ସୁଦୃଢ କରାଯିବ।

 

ଏହାସହ ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି ଯୋଗ୍ୟ ଦକ୍ଷତା ସୃଷ୍ଟି କରିବା, ଉଦ୍ଭାବନ ଏବଂ ଗବେଷଣାର ଭାବନା ସୃଷ୍ଟି କରିବା ଏବଂ ସେମାନଙ୍କୁ ବିଦେଶର ସର୍ବୋତ୍ତମ ଅନୁଷ୍ଠାନରେ ଉଚ୍ଚ ବୈଷୟିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ଉପରେ ଏହି ଯୋଜନାରେ ଗୁରୁତ୍ବ ଦିଆଯିବ।ଅନ୍ୟପଟେ ରାଜ୍ଯରେ ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ପ୍ରାୟ ୧୦ଟି ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଘୋଷଣା କରିଥିଲେ। ଏହାସହ ସ୍ଥାନୀୟ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ ଉଦ୍ଦେଶ୍ଯରେ ‘ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି ବୋଲି ସେ କହିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score