କାଲିର ଚମତ୍କାର ପ୍ରଦର୍ଶନ ବଳରେ ସହଜ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି । ଡି’କକ୍ଙ୍କ ଅପରାଜିତ ୯୭ ରନ୍ ବଳରେ କେକେଆର୍ ୧୫ ବଲ୍ ବଳକା ଥାଇ ୧୫୩ ରନ୍ ହାସଲ କରିନେଇଛି ।
ଆଇପିଏଲ ୨୦୨୫ର ଷଷ୍ଠ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଗୌହାଟୀର କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । କେକେଆର ଅଧିନାୟକ ଅଜିଙ୍କ୍ୟ ରାହାନେ ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ରାଜସ୍ଥାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ଦଳ ପକ୍ଷରୁ କୌଣସି ବଡ଼ ଭାଗୀଦାରୀ ହୋଇପାରି ନଥିଲା । କୋଲକାତାର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୫୧ ରନ୍ କରିବାରେ ସକ୍ଷମ ହୋଇଥିଲା ।
ରାଜସ୍ଥାନ ପାଇଁ ଧ୍ରୁବ ଜୁରେଲ ସର୍ବାଧିକ ୩୩ ରନ୍ କରିଥିଲେ । ଓପନର ଯଶସ୍ୱୀ ଜୟସ୍ୱାଲ ୨୯, ସଞ୍ଜୁ ସାମସନ ୧୩, ରିୟାନ ପରାଗ ୨୫ କରିଥିଲେ । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ବୈଭବ ଅରୋରା, ହର୍ଷିତ୍ ରାଣା, ମୋଇନ୍ ଅଲି, ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ ।
୧୫୨ ରନ୍ର ସାଧାରଣ ବିଜୟ ଲକ୍ଷ୍ୟ ହାସଲ ପାଇଁ ପଡ଼ିଆକୁ ଓହ୍ଲାଇଥିବା କେକେଆରକୁ ଭଲ ଆରମ୍ଭ ଦେଇଥିଲେ ଓପନର ଡି’କକ୍ । ତାଙ୍କ ସହ ମିଶି ମୋଇନ୍ ଅଲି ୪୧ ରନ୍ ପାର୍ଟନରଶିପ୍ କରିଥିଲେ । ୫ ରନ୍ କରି ସେ ଆଉଟ୍ ହେବା ପରେ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପ୍ଟେନ୍ ରାହାଣେ । ତାଙ୍କ ବ୍ୟାଟରୁ ୧୮ ରନ୍ ବାହାରିଥିଲା । ଶେଷରେ କ୍ୱିଣ୍ଟନ୍ ଡି କକ୍ ୯୭ ଓ ରଘୁବଂଶୀ ୨୨ ରନ୍ କରି ଅପରାଜିତ ରହି ଟିମ୍କୁ ବିଜୟୀ କରାଇଥିଲେ । ରାଜସ୍ଥାନ ପାଇଁ ୱାନିନ୍ଦୁ ହାସରଙ୍ଗା କେବଳ ଗୋଟିଏ ୱିକେଟ୍ ନେଇଥିଲେ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |