୪୫ତମ ଚେସ୍ ଅଲିମ୍ପିଆଡ୍ରେ ରବିବାର ଦିନ ଇତିହାସ ସୃଷ୍ଟି କରିଛି ଭାରତ। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚେସ୍ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଚେସ୍ ଜଗତରେ ଆନନ୍ଦର ଲହରୀ ଖେଳିଯାଇଛି। ଭାରତ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଡି ଗୁକେଶ, ଅର୍ଜୁନ ଇରିଗାସି ଓ ଆର୍ ପ୍ରଜ୍ଞାନନ୍ଦଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ଶେଷ ରାଉଣ୍ଡରେ ସ୍ଲୋଭେନିଆକୁ ୩-୦ରେ ପରାସ୍ତ କରି ବିଜେତାର ହେବାର ଗୌରବ ଅର୍ଜନ କରିଛି। ଓପନ୍ ବର୍ଗରେ ଭାରତକୁ ପ୍ରଥମ ମୁକୁଟ ଦେବାରେ ବିଶ୍ବ ଚାମ୍ପିଅନ୍ସିପ୍ ଖେଳିବାକୁ ଯାଉଥିବା ଗୁକେଶ ଓ ଅର୍ଜୁନ ପ୍ରମୁଖ ଭୂମିକା ନେଇଥିଲେ। ୧୮ ବର୍ଷୀୟ ଗୁକେଶ କଡ଼ା ସଂଘର୍ଷ କରି ଭ୍ଲାଡିମିର ଫେଡୋସେଭ୍ଙ୍କୁ ହରାଇଥିଲେ। ଅର୍ଜୁନ ତୃତୀୟ ବୋର୍ଡରେ ଜାନ୍ ସୁବେଲିଙ୍କୁ ପରାସ୍ତ କରିଥିଲା ବେଳେ ଦ୍ବିତୀୟରେ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଦେଇ ଆଣ୍ଟୋନି ଡେମଚେଙ୍କୋକୁ ହରାଇଥିଲେ। ଏହି ବିଜୟ ସହ ଭାରତ ୨୨ରୁ ୨୧ ପଏଣ୍ଟ କରାୟତ୍ତ କରିଥିଲା। ପ୍ରତିଯୋଗିତାରେ ଭାରତ କେବଳ ଉଜବେକିସ୍ତାନ ସହ ଡ୍ର’ ରଖିଥିଲା ବେଳେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ଦଳରେ ବିଦିତ ଗୁଜରାଟୀ ଓ ପେଣ୍ଟାଲା ହରେକୃଷ୍ଣ ମଧ୍ୟ ଥିଲେ। ଭାରତୀୟ ପୁରୁଷ ଦଳ ପୂର୍ବରୁ ଦୁଇ ଥର ୨୦୨୨ରେ ଚେନ୍ନାଇ ଏବଂ ୨୦୧୪ରେ ନରୱେର ଟ୍ରୋମସୋରେ କାଂସ୍ୟ ଜିତିଥିଲା।
ମହିଳା ବିଭାଗରେ ଭାରତ ମଧ୍ୟ ୧୧ ରାଉଣ୍ଡରୁ ୯ଟିରେ ଜିତିଥିଲାବେଳେ ଗୋଟିଏ ଲେଖାଏଁ ଡ୍ର ଓ ପରାଜୟ ବରଣ କରି ସର୍ବାଧିକ ୧୯ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। କାଜାଖସ୍ତାନକୁ ରୌପ୍ୟ ଓ ଆମେରିକାକୁ କାଂସ୍ୟ ପଦକ ମିଳିଛି। ରବିବାର ଖେଳାଯାଇଥିଲା ୧୧ତମ ତଥା ଶେଷ ରାଉଣ୍ଡରେ ଦିବ୍ୟା ଦେଶମୁଖ, ଭାଣ୍ଟିକା ଅଗରୱାଲ ଓ ଡି ହାରିକା ମ୍ୟାଚ୍ ଜିତିଥିଲାବେଳେ ବୈଶାଳୀ ମ୍ୟାଚ୍ ଡ୍ର ରଖିଥିଲେ। ଫଳରେ ଭାରତ ୩.୫ -୦.୫ ପଏଣ୍ଟ ବ୍ୟବଧାନରେ ଆଜରବୈଜାନକୁ ହରାଇଥିଲା। ଅନ୍ୟ ଏକ ମ୍ୟାଚ୍ରେ ଶୀର୍ଷରେ ରହିଥିବା କାଜାଖସ୍ତାନ ସହ ଆମେରିକା ମ୍ୟାଚ୍ ଡ୍ର ରଖିବା ଫଳରେ ଭାରତର ଟାଇଟଲ ଜିତିବା ସହଜ ହୋଇଯାଇଥିଲା। ୧୦ ରାଉଣ୍ଡ ସୁଦ୍ଧା ଭାରତ ଓ କାଜାଖସ୍ତାନ ସମାନ ୧୭ ପଏଣ୍ଟ ପାଇ ଯୁଗ୍ମ ଶୀର୍ଷରେ ଥିଲେ। ଏକାଦଶ ରାଉଣ୍ଡରେ କାଜାଖସ୍ତାନ-ଆମେରିକା ମ୍ୟାଚ୍ ଡ୍ର’ରେ ଶେଷ ହେବାରୁ ଭାରତ ଆଗରେ ରହିଥିଲା।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |