Explore

Search

November 18, 2025 5:50 am

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଜଳାଶୟରେ ଭାସିଲା ଡଙ୍ଗା, ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ, ପୋଖରୀ, ଜଳାଶୟରେ ଭସାଇଥିଲେ ଡଙ୍ଗା । ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇବା ସହ ଆ-କା-ମା-ବୈରେ ଗୁଞ୍ଜରିତ ହୋଇଥିଲା ନଦୀପଠା ଓ ଜଳାଶୟ ।

ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଚର୍ତୁଃଦିଗ । ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଶ୍ରୀକ୍ଷେତ୍ର । ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କର ଛୁଟିଥିଲା ସୁଅ । ପରିବାର ତଥା ସାଙ୍ଗସାଥୀଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ନଦୀ ତଟକୁ ଆସି ଡଙ୍ଗା ଭସାଇଥିଲେ । କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗାଭସା ଓଡ଼ିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବରେ ପାଳିତ ହୁଏ ।

ଏହି ଦିନଟି ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଏବଂ ସାଧବମାନଙ୍କ ଦୂରଦେଶକୁ ଯାତ୍ରାକୁ ମନେ ପକାଇଥାଏ । ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନେଇ ଆଜି ସକାଳୁ ସକାଳୁ ପୁଷ୍କରିଣୀ, ନଦୀ, ନାଳ ଓ ସମୁଦ୍ର କୂଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୋକମାନେ ଉତ୍ସାହର ସହିତ “ଆ-କା-ମା-ବୈ-ଇ-ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର” ଗୀତ ଗାଇ କଦଳୀ ପଟୁଆରେ ତିଆରି କରିଥିବା ଛୋଟ ଛୋଟ ଡଙ୍ଗା ଭସାଇଥିଲେ । ଏହି ଡଙ୍ଗା ଗୁଡ଼ିକରେ ଦୀପ, ପାନ ଓ ଗୁଆ ରଖାଯାଇ ନଦୀରେ ଭସାଯାଇଥିଲା ।

ବିଶ୍ୱାସ ରହିଛି କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳୁ ଗାଧୋଇଲେ ତାହା କୋଟି ପୂର୍ଣୟ ମିଳିଥାଏ । ତେଣୁ ଆଜି ପ୍ରତିଟି ଓଡ଼ିଆ ଓ ଶ୍ରଦ୍ଧାଳୁମାନେ ସକାଳୁ ପବିତ୍ର ନଦୀ ଓ ଜଳାଶୟରେ ସ୍ନାନ କରିଥାନ୍ତି । ଏହାକୁ ‘କାର୍ତ୍ତିକ ସ୍ନାନ’ କୁହାଯାଏ । ଏହାର ଅନେକ ଧାର୍ମିକ ଗୁରୁତ୍ବ ରହିଛି । ଏହାପରେ ଭକ୍ତମାନେ ମହାଦେବ ଓ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦିନ କାର୍ଯ୍ୟ ଆରମ୍ଭ କରିଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରେ । ତେବେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଧିକ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ଜଳାଶୟ କୂଳରେ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଅନ୍ୟପକ୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ସୋସିଆଲ ମିଡିଆ ‘X’ ରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score