Explore

Search

November 29, 2025 3:25 am

ଓଡ଼ିଶାର ତୃତୀୟ ବୃହତ୍ତମ ସହର ବ୍ରହ୍ମପୁର

ବ୍ରହ୍ମପୁର : ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୧୬୦ କି.ମି. ଦୂରରେ ବଙ୍ଗୋପ ସାଗର କୂଳରେ ଥିବା ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା “ଓଡ଼ିଶାର ରେଶମ ସହର’’ ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆଯାଇଛି । ବିଶେଷ କରି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଭୁବନେଶ୍ୱର ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୧୧ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୩,୫୫,୮୨୩ ଥିଲା । ଭୁବନେଶ୍ୱର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ ୨୦୦୯ରେ ଗଠିତ ହେଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଗୋଟିଏ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଏହାସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଏବଂ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି । ୧୮୬୭ରେ ରାଜ୍ୟର ସର୍ବପୁରାତନ ପୌର ପରିଷଦ ବ୍ରହ୍ମପୁର ପ୍ରତିଷ୍ଠା ହେଇଥିଲା । ୧୪୨ ବର୍ଷ ପରେ ୨୦୦୯ ପ୍ରାରମ୍ଭରେ ଏହା ଓଡ଼ିଶାର ତୃତୀୟ ମହାନଗର ନିଗମର ମାନ୍ୟତା ପାଇଥିଲା ।

ଜନସଂଖ୍ୟା ଓ ସାକ୍ଷରତା :

୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବ୍ରହ୍ମପୁର ସହରର ମୋଟ ଜନସଂଖ୍ୟା ୩,୫୫,୮୨୩ । ସେଥି ମଧ୍ୟରୁ ୫୨.୧୫ %ଜଣ ପୁରୁଷ ହୋଇଥିବା ବେଳେ ୪୭.୮୫% ଜଣ ମହିଳା ଥିବା ଅନୁମାନ କରାଯାଇଛି । ବ୍ରହ୍ମପୁରର ସାକ୍ଷରତା ହାର ପାଖାପାଖି ୯୦.୦୪% । ଏହା ଜାତୀୟ ହାର ୭୪.୦୪%ଠାରୁ ଅଧିକ । ପୁରୁଷ ସାକ୍ଷରତା ହାର ୯୩.୮୩% ଥିବା ବେଳେ ମହିଳାଙ୍କର ସାକ୍ଷରତା ହାର ୮୫.୯୨% ରହିଛି ।

କଳା ଓ ଚଳଣି :

ବ୍ରହ୍ମପୁର ବହୁ ପୁରୁଣା ଓ ଗୁରୁତ୍ୱପୂର୍ଣ୍ଣ ବିଶିଷ୍ଟ ସହର । ଯାହାକି ଆନ୍ଧ୍ରପ୍ରଦେଶ ଓ କଟକର ମଝି ସ୍ଥାନରେ ଅବସ୍ଥିତ । ବହୁ ପୁରାତନ ଦକ୍ଷିଣ ଭାଗ ବିଶିଷ୍ଟ ଏହି ସହରଟି ଓଡ଼ିଆ ପରମ୍ପରା ବିଶିଷ୍ଟ ଓଡ଼ିଶାର ଖ୍ୟାତନାମା ସହର । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହର ବ୍ୟବସାୟର ପେଣ୍ଠସ୍ଥଳୀ । ଅନ୍ନପୂର୍ଣ୍ଣା ମାର୍କେଟ, ବଡ଼ ବଜାର, ସାନ ବଜାର, ଭାପୁର ବଜାର, ହନୁମାନ ବଜାର, ସାଇ କମ୍ପ୍ଲେକ୍ସ୍, ଗଣେଶ ମାର୍କେଟ୍ ପ୍ରଭୃତି ସହରର ପ୍ରମୁଖ ବ୍ୟବସାୟ ସ୍ଥଳୀ । ଏଠାରେ ରେଶମ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ “ରେଶମ ସହର”। ମହିଳାମାନଙ୍କ ପାଇଁ “ଶାଢ଼ୀ” ଏବଂ ପୁରୁଷମାନଙ୍କ ପାଇଁ “ଯୋଡ” ଉଦ୍ଦିଷ୍ଟ ହୋଇଥିବା ବେଳେ ଏହି ପ୍ରସିଦ୍ଧ ରେଶମ କାର୍ଯ୍ୟ ପାଇଁ ବ୍ରହ୍ମପୁର ଭାରତର ରେଶମ ସହର ଭାବରେ ଜଣାଶୁଣା । ଏହାର ସାଧାରଣ ଓଡ଼ିଶୀ ବୁଣା ଏବଂ କୁମ୍ଭ ଶୈଳୀ (ବିଶେଷ କରି ଫୋଡା, ମନ୍ଦିର ପ୍ରକାରର ଡିଜାଇନ୍) ପାଇଁ ବ୍ରହ୍ମପୁରୀ ରେଶମ ପାଟ ଶାଢ଼ୀ ଅତୁଳନୀୟ । ଏହି ଶାଢୀ ୨୦୦ ବର୍ଷରୁ ଅଧିକ ପୂର୍ବରୁ ଉତ୍ପନ୍ନ ହୋଇଥିବା ଜଣାଯାଏ। ଆଗରୁ ଏହି ଶାଢୀ ଗୁଡିକ ପୂର୍ବ ଗୋପାଳପୁର ବନ୍ଦର ମାଧ୍ୟମରେ ଦକ୍ଷିଣ ପୂର୍ବ ଏସୀୟ ତଥା ଅନ୍ୟ ଦେଶକୁ ରପ୍ତାନି କରାଯାଉଥିଲା । ଏହି ଶାଢ଼ୀ ପୁରୀର ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପରିଧାନରେ ବ୍ୟବହାର କରାଯାଏ । ବ୍ରହ୍ମପୁରର ସ୍ବତନ୍ତ୍ର ପରିଚୟ ‘ରେଶମ ପାଟବସ୍ତ୍ର’ ହୋଇଥିବା ବେଳେ ଦେଶ ଭିତରେ ଓ ବାହାରେ ଏହାର ଆଦୃତ୍ତ ରହିଛି।

ଏହି ଶାଢ଼ୀର ଇତିହାସ ଦେଖିଲେ ଜଣା ଯାଏ ଯେ, ପ୍ରାୟ ୨୦୦ ବର୍ଷ ପୂର୍ବେ ମହୁରୀ ରାଜା ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିକୁ ଯାଇଥିଲେ। ସେଠାରେ ପ୍ରସ୍ତୁତ ହେଉଥିବା ପାଟବସ୍ତ୍ର ତାଙ୍କୁ ବେଶ୍ ଆକୃଷ୍ଟ କରିଥିଲା | ଏଥିପାଇଁ ସେ ଫେରିବା ସମୟରେ କିଛି ବୁଣାକାରଙ୍କୁ ବ୍ରହ୍ମପୁର ସହରକୁ ଆଣିଥିଲେ ସେମାନଙ୍କୁ ପୁରୁଣା ବ୍ରହ୍ମପୁରର ବାଲୁଙ୍କେଶ୍ଵର ପେଟ୍ଟା ଅଞ୍ଚଳରେ ରଖାଯାଇଥିଲା। ସେଠାରେ ବୁଣାକାରମାନେ ପାଟବସ୍ତ୍ର ବୁଣିବା ଆରମ୍ଭ କରିଥିଲେ । ସମୟକ୍ରମେ ଏହା ବ୍ରହ୍ମପୁରର ପରିଚୟ ପାଲଟିଥିଲା । ଏହି ବୁଣାକାର ପରିବାର ଗୁଡ଼ିକ ଡେରା ଓ ଦେବାଙ୍ଗ ସମ୍ପ୍ରଦାୟ ଭାବେ ପରିଚିତି ଲାଭ କରିଛନ୍ତି ।

ଶିକ୍ଷା :

ବ୍ରହ୍ମପୁର ଠାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଭାରତୀୟ ସ୍ୱୟଂଶାସିତ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ରହିଛି । ଯାହାର ନାମ ସଂକ୍ଷେପରେ ଆଇଜର ବ୍ରହ୍ମପୁର ରହିଛି । ଏହାର ଉଦ୍ଦେଶ୍ୟ ଉଚ୍ଚତର ବୈଜ୍ଞାନିକ ଶିକ୍ଷା ଏବଂ ଅନୁସନ୍ଧାନ ସହ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ବୈଜ୍ଞାନିକ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ଉଚ୍ଚଗୁଣ ସମ୍ପନ୍ନ ଶିକ୍ଷାବିତ ଗଠନ ଏହାର ଉଦ୍ଦେଶ୍ୟ ଥିଲା । ଏହି ଅନୁଷ୍ଠାନକୁ ଭାରତ ସରକାର ‘ଜାତୀୟ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ’ର ମାନ୍ୟତା ପ୍ରଦାନ କରିଛନ୍ତି । ଏହା ୨୦୧୬-୧୭ ଶିକ୍ଷାବର୍ଷ ଅଗଷ୍ଟ ମାସରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ଏହା ଭାରତର ଅନ୍ୟ ସାତୋଟି ଆଇଜର ମଧ୍ୟରୁ ଅନ୍ୟତମ । ଗୁଣାତ୍ମକ ଶିକ୍ଷା ଏବଂ ମୌଳିକ ବିଜ୍ଞାନରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟଦ୍ୱାରା ୨୦୦୬ ମସିହାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ସ୍ଥାପନ କରାଯାଇଥିଲା । ଜାତୀୟ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ଅଧିନିୟମ, ୨୦୦୭ରେ ସଂଶୋଧନ ଓ ପରିବର୍ତ୍ତନ ଆଣି ସଂସଦରେ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ବିଲ୍, ୨୦୧୬ ମାଧ୍ୟମରେ ମୂଳ ଅଧିନିୟମର ଦ୍ୱିତୀୟ ପରିଶିଷ୍ଟରେ ଆଇଜର ତିରୁପତି ଓ ଆଇଜର ବ୍ରହ୍ମପୁରକୁ ସାମିଲ କରାଯାଇଥିଲା ।

ଏହା ପୂର୍ବରୁ ପୁଣେ ଏବଂ କୋଲକାତା (୨୦୦୬), ମୋହାଲି (୨୦୦୭), ଭୋପାଳ ଏବଂ ତିରୁଅନନ୍ତପୁରମ (୨୦୦୮)ଠାରେ ଅନ୍ୟ ୫ଟି ଆଇଜର ପ୍ରତିଷ୍ଠା କରାଯାଇଥିଲା । ଉଦ୍ଦେଶ୍ୟ ଥିଲା କି ଆଇଜର ହେବା ଏକ ଉଚ୍ଚ ଦକ୍ଷତାପୂର୍ଣ୍ଣ ଗବେଷଣା ପ୍ରତିଷ୍ଠାନର ସୃଷ୍ଟି ଓ ବିକାଶ କରିବା । ଯାହା ମୌଳିକ ବିଜ୍ଞାନରେ ଶିକ୍ଷାଦାନ ଏବଂ ଶିକ୍ଷାକୁ ଅତ୍ୟାଧୁନିକ ଗବେଷଣା ସହିତ ଏକିକୃତ କରିପାରିବ । ଆଇଜର ଗୁଡ଼ିକ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପ୍ରତି ଉତ୍ସର୍ଗୀକୃତ ଏବଂ ଶିକ୍ଷାଦାନ ଓ ବିଜ୍ଞାନର ଶିକ୍ଷଣକୁ ଏକିକୃତ କରି ମୌଳିକ ବିଜ୍ଞାନକୁ ଅଧିକ ଆକର୍ଷଣୀୟ କରି ଗଢି ତୋଳିବା ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ।

ଖାଦ୍ୟ ପାଇଁ ବ୍ରହ୍ମପୁର ପ୍ରସିଦ୍ଧ :

ବ୍ରହ୍ମପୁରର ଆଚାର ଓ ପାମ୍ପଡ କଥା ଆସିଲେ ଏହାକୁ ଖାଇବାକୁ ସମସ୍ତଙ୍କର ଇଚ୍ଛା ହୁଏ । ଏଠାରେ ବିଭିନ୍ନ ପ୍ରକାରର ଆଚାର ମିଳିଥାଏ । ଖାଲି ଯେ ଏଠାକାର ଆଚାର ପାମ୍ପଡ ପ୍ରସିଦ୍ଧ ତାହା ନୁହେଁ ବରଂ ଏଠାରେ ଆହୁରି ଗୋଟିଏ ଫେମସ ଖାଦ୍ୟ ହେଉଛି ପୁରୀ-ଉପମା। ଥରେ ଯିଏ ଏଠାକାର ପୁରୀ-ଉପମା ଖାଇଛି ସେ ନିଜେ ହିଁ ତାର ସ୍ୱାଦ ଜାଣିଛି ।

ବ୍ରହ୍ମପୁରର ପ୍ରସିଦ୍ଧ ମା’ କାଳୁଆ ଯାତ୍ରା :

ରେଶମ ନଗରୀରେ ପ୍ରତ୍ୟକ ବର୍ଷ ଗୋସାଇଁ ନୂଆଗାଁ ଅଞ୍ଚଳର ଆରାଧ୍ୟା ଦେବୀ ମା’ କାଳୁଆଙ୍କ ପ୍ରସିଦ୍ଧ ଯାତ୍ରା ଆୟୋଜିତ ହୋଇଥାଏ । ପରମ୍ପରା ଅନୁଯାୟୀ ମା’ କାଳୁଆଙ୍କ ଯାତ୍ରା ପବିତ୍ର ମହାଳୟା ଅମାବାସ୍ୟା ରାତିରେ ଆରମ୍ଭ ହୋଇ କୁମାରପୂର୍ଣ୍ଣିମା ରାତିରେ ଉଦଯାପିତ ହୋଇଥାଏ । ବାଦ୍ୟ ବାଜଣା, ଶଙ୍ଖ ମହୁରୀ ନାଦ, ଘଣ୍ଟତାଳ, କୀର୍ତ୍ତନରେ ମଧ୍ୟରେ ମା’ ବଡ଼ସାହି ମଣ୍ତପରେ ବିଜେ କରିଥାନ୍ତି । ହୁଳହୁଳି ବାଦ୍ୟ ବାଜଣା ସହ ମା’ ଗାଁର ସମସ୍ତ ସାହି ପରିକ୍ରମା କରିଥାନ୍ତି । ଗ୍ରାମବାସୀ ନିଜ ଘର ଦାଣ୍ତରେ ପୂର୍ଣ୍ଣକୁମ୍ଭ ରଖିଥାନ୍ତି । ଭକ୍ତମାନେ ମା’ଙ୍କ ପ୍ରିୟ ଗଇଁଠା ଭୋଗ ମଧ୍ୟ ଲାଗି କରନ୍ତି । ସବୁ ସାହି ପରିକ୍ରମା କରିବା ପରେ ମା’ କାଳୁଆଙ୍କୁ ମଣ୍ତପରେ ବିଜେ କରାଯାଇଥାଏ ।

ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ବ୍ରହ୍ମପୁରର ସୁନାପୁର ବେଳାଭୂମି :

ବ୍ରହ୍ମପୁର ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ସୁନାପୁର ବେଳାଭୂମି । ନିର୍ମଳ ବେଳାଭୂମି ସାଙ୍ଗକୁ ସୁନ୍ଦର ପରିବେଶ । ସମୁଦ୍ରର ମନୋରମ ଦୃଶ୍ୟ ଭିତରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିର ସୌନ୍ଦର୍ଯ୍ୟ ଖୁବ ଆକର୍ଷଣୀୟ ଲାଗେ । ପ୍ରତିବର୍ଷ ଶୀତ ଋତୁ ଆସିଲେ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି । ଏପରିକି ଏହି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମଧ୍ୟ ମିଳିଛି । ଶାନ୍ତ ଓ ସ୍ଵଛ ପରିବେଶରେ ଥିବା ଏହି ସୁନାପୁର ବେଳାଭୂମିରେ ପ୍ରତି ବର୍ଷ ଶୀତ ଋତୁରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଆଉ ଯାହାକୁ ଦେଖିବାକୁ କେବଳ ଓଡିଶାରୁ ନୁହେଁ ସାରା ଦେଶ ବିଦେଶରୁ ଛୁଟି ଥାଏ ପର୍ଯ୍ୟଟକଙ୍କ ସୁଅ । ଖାଲି ସେତିକି ନୁହେଁ ସୁନାପୁର ବିଚ୍ ନିକଟରେ ପ୍ଲଟ୍ ବିକ୍ରୟ ଆରମ୍ଭ ହୋଇଛି । ଯାହା ଆଗାମୀ ବର୍ଷ ଗୁଡ଼ିକରେ ପର୍ଯ୍ୟଟନ, ବିଜନେସ୍, ହସ୍ପିଟାଲିଟି ଓ ସେକଣ୍ଡ ହୋମ୍ କନ୍ସେପ୍ଟ ନିମନ୍ତେ ଅତ୍ୟାଧିକ ଚାହିଦା ଥିବା ଏକ ପ୍ରମୁଖ ସ୍ଥାନ ହେବ।

ତାରାତାରିଣୀ ମନ୍ଦିର :

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା’ ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ମାନସିକପୂରଣ କରୁଥିବା ଏହି ପୀଠର ମହିମା ଯୋଗୁଁ ଏହା ବେଶ ପ୍ରସିଦ୍ଧି ଲାଭ କରିଛି । ଭାରତରେ ଥିବା ସବୁ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା’ତାରାତାରିଣୀଙ୍କ ପୀଠର ସ୍ୱତନ୍ତ୍ରତା ରହିଛି । ଏହା ସ୍ତନପୀଠ ହୋଇଥିବାରୁ ଦେଶର ୪ ଆଦିଶକ୍ତି ପୀଠ ଓ ତନ୍ତ୍ର ପୀଠ ମଧ୍ୟରୁ ଅନ୍ୟତମ । ଏହି ପୀଠ ଶାବରୀ, ବୈଦିକ, ବୌଦ୍ଧ, ବୈଷ୍ଣବୀ, ପରମ ତନ୍ତ୍ର ଓ ଶକ୍ତିପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି । ଏହି ମନ୍ଦିରକୁ ଯିବାକୁ ହେଲେ ୯୯୯ ପାହାଚ ଅତିକ୍ରମ କରିବାକୁ ପଡ଼େ । ବର୍ତ୍ତମାନ ମନ୍ଦିର ଉପରକୁ ଯିବାପାଇଁ ସୁନ୍ଦର ରାସ୍ତା ଓ ରୋପ୍ୱେର ବ୍ୟବସ୍ଥା କରାଯାଇଛି । ତେବେ ବ୍ରହ୍ମପୁର ସହର ଠାରୁ ମାତ୍ର ୩୧ କିମି ଦୂରରେ ଅବସ୍ଥିତ ମା’ ତାରାତାରିଣୀଙ୍କ ଶକ୍ତିପୀଠ ।

ତପ୍ତପାଣି :

ବ୍ରହ୍ମପୁର ସହରଠାରୁ ଏହାର ଦୂରତ୍ୱ ପ୍ରାୟ ୫୦ କିମି । ଏହି ଉଷ୍ଣପ୍ରସ୍ବରଣଟି ଧଣ୍ଡାମରା ଏବଂ ସାନଖେମୁଣ୍ଡି ପାହାଡ଼ର ପାଦ ଦେଶରେ ଅବସ୍ଥିତ । ତପ୍ତପାଣିର ଉଷ୍ଣ ଜଳରେ ସଲଫର ଓ ଅନ୍ୟ ରାସୟାନିକ ଖଣିଜଦ୍ରବ୍ୟ ଭରି ରହିଥିବାରୁ, ଏହାର ଔଷଧୀୟ ଗୁଣ ଅଧିକ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score