Explore

Search

November 17, 2025 7:15 pm

ରାଜ୍ୟରେ ଏକ ମାସ ବ୍ୟାପୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ

ବିକାଶଶୀଳ ଟେକ୍ନୋଲୋଜି ଯେପରି ସମାଜକୁ ସୁବିଧାପୂର୍ଣ୍ଣ କରିଛି, ସେପରି ଅନେକ ବିପଦ ମଧ୍ୟ ନେଇଆସିଛି। କେବେ ସାଇବର ଅପରାଧୀମାନେ ଲୋକଙ୍କର ଧନ-ସମ୍ପତ୍ତି ଠକି ନେଉଛନ୍ତି, ତ କେବେ ଗୋଟିଏ କ୍ଲିକ୍‌ରେ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଛି। ଏହା ସହ ସାମାଜିକ ଲଜ୍ଜା ଓ ଅସୁବିଧାର କାରଣ ମଧ୍ୟ ହେଉଛି। ଏପରି ପରିସ୍ଥିତିରେ ଟେକ୍ନୋଲୋଜିକୁ ପରିହାର କରିବା ସମ୍ଭବ ନୁହେଁ, କିନ୍ତୁ ଏହାର ସଚେତନ ବ୍ୟବହାର ଅତ୍ୟାବଶ୍ୟକ।

ଏହି ପରିପ୍ରେକ୍ଷିତରେ ରାଜ୍ୟ ସରକାର ଆସନ୍ତା ୧୮ ଅକ୍ଟୋବରରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ଗୋଟିଏ ମାସ ବ୍ୟାପୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନ ମାଧ୍ୟମରେ ଛାତ୍ର, ବୃତ୍ତିଜୀବୀ ମହିଳା, ବୃଦ୍ଧ ନାଗରିକ ଓ ସାଧାରଣ ଜନତାଙ୍କୁ ସାଇବର ବିପଦ, ସୁରକ୍ଷିତ ଡିଜିଟାଲ ଅଭ୍ୟାସ ଓ ଅପରାଧ ରିପୋର୍ଟିଂ ବିଷୟରେ ସଚେତନ କରାଯିବ। ଅଭିଯାନର ଟ୍ୟାଗଲାଇନ୍‌ ହେଉଛି — “ଷ୍ଟପ, ଭେରିଫାଏ, ବି ସିକ୍ୟୁର” (ରୁହ, ଯାଞ୍ଚ କର, ସୁରକ୍ଷିତ ରୁହ)। ଏହି ଅଭିଯାନର ମାସ୍କଟ୍‌ ଭାବେ “ସାଇରା” ରହିବ।

ବିଦ୍ୟାଳୟ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ସ୍କୁଲ ଓ ହଷ୍ଟେଲ୍‌ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହେବ। ସୂଚନା ଓ ଲୋକସଂପର୍କ ବିଭାଗ ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରଚାର କାର୍ଯ୍ୟ କରିବ, ଯେଉଁଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜନପ୍ରତିନିଧିମାନଙ୍କ ସହ ସମନ୍ୱୟ କରି ଗ୍ରାମସ୍ତରରେ ସଚେତନତା ପ୍ରସାର କରିବ। ଆଶା କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପଥନାଟକ ଓ ଲୋକନୃତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନ କରିବ। ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ବିଭାଗ ଏଥିରେ ସହଯୋଗ ଦେବ। ଅଭିଯାନ ସମୟରେ କୁଇଜ୍ ପ୍ରତିଯୋଗିତା, ପଦଯାତ୍ରା, ଗଣ ଦୌଡ, ସଚେତନତା ସଭା, ଇନଫୋଗ୍ରାଫିକ୍ସ ତିଆରି ସହିତ ଟିଭି, ରେଡିଓ ଓ ସିନେମା ହଲ୍‌ ମାଧ୍ୟମରେ ବି ସଚେତନତା ମେସେଜ୍‌ ପହଞ୍ଚାଯିବ।

ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ନିକଟରେ ଏହି ସଚେତନତା ଅଭିଯାନର ବାର୍ତ୍ତା ସଫଳଭାବେ ପହଞ୍ଚିବାକୁ ନିଶ୍ଚିତ କରାଯାଉ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score