ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର । ଏହା ପ୍ରଧାନତଃ ଜଗନ୍ନାଥ ତଥା ହରି ଓ ରାଧାଙ୍କ ପ୍ରେମକଥାର ବର୍ଣ୍ଣନାକୁ ନେଇ ଅଙ୍କା ଯାଇଛି । ପଟ୍ଟଚିତ୍ର ଜଗନ୍ନାଥ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଛି । ଏହା ଓଡ଼ିଆ ଚିତ୍ରକରମାନଙ୍କ ଦେଇ ନାନାଦି ପ୍ରାକୃତିକ ରଙ୍ଗର ବ୍ୟବହାର କରି ପଟ୍ଟ ବା ମଣ୍ଡଦିଆ କନା ଉପରେ ଅଙ୍କାଯାଇଥାଏ । ଏହା ଓଡ଼ିଶାର ଏକ ମୁଖ୍ୟ ଓ ବହୁ ପୁରାତନ କଳା । ପଟ୍ଟ ଶବ୍ଦର ଅର୍ଥ କନା, ଏକ ବିଶେଷ କନା ଉପରେ ଅଙ୍କିତ ଏହି ବିଶେଷ ଧରଣର ଚିତ୍ରକୁ ପଟ୍ଟଚିତ୍ର କୁହାଯାଇଥାଏ । ଏଥିରେ ନାନା ପ୍ରକାରର ଆଧ୍ୟାତ୍ମିକ ଛବି ଅଙ୍କାଯାଇଥାଏ । ପଟ୍ଟଚିତ୍ରର ଇତିହାସ ହଜାରେ ବର୍ଷରୁ ଅଧିକ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ କଳିଙ୍ଗ (ବର୍ତ୍ତମାନର ଓଡ଼ିଶା)ର ଚିତ୍ରଶିଳ୍ପୀମାନେ ତାଳପତ୍ର ସହିତ, ରାଜପ୍ରସାଦର ମନ୍ଦିର, ମଠ କାନ୍ଥ ଇତ୍ୟାଦିରେ “ଭିତ୍ତି” ଚିତ୍ର ଖୋଦିତ ଅଥବା ଚିତ୍ର କରୁଥିଲେ। ସମ୍ଭବତଃ ଏହି ଚିତ୍ର ଗୁଡ଼ିକ କାନ୍ଥ ବାଡ଼ରେ କରାଯାଉଥିବାରୁ ଏହାକୁ “ଭିତ୍ତି” ଚିତ୍ର କୁହାଯାଉଥିଲା । ୫ମ ଶତକର ପୁରୀ, କୋଣାର୍କ ଓ ଭୁବନେଶ୍ୱରର କାନ୍ଥରେ ଅଙ୍କା ହୋଇଥିବା ଛବି ସବୁରୁ ପଟ୍ଟଚିତ୍ରର ଜନ୍ମ । ପୁରୀର ରଘୁରାଜପୁର ଠାରେ ଏହି କଳାର ପୁରୁଷ ପୁରୁଷ ଧରି ଅଭୂତପୂର୍ବ ବିକାଶ ଘଟିଛି । ଯାହା ଏହି ଗାଁକୁ ଶିଳ୍ପୀ ଗ୍ରାମର ମାନ୍ୟତା ଦେଇଛି ।
ଓଡ଼ିଆ ଶିଳ୍ପୀଙ୍କ ରଙ୍ଗତୂଳୀର କାନଭାସରେ ଅଙ୍କିତ ଚିତ୍ର ହେଉ କି ନିହାଣ ମୁଗୁରର ସ୍ପର୍ଶରେ ପଥର ଖୋଦନ କିମ୍ବା କାଠ ଖୋଦେଇ ମୂର୍ତ୍ତି ହେଉ । ଶିଳ୍ପୀ ସୃଷ୍ଟିକରେ ସଜ ଫୁଟା ଫୁଲ ପରି ସତେଜ ଓ ଜୀବନ୍ତ ମନେ ହେଉଥିବା ନିଆରା ଶିଳ୍ପୀକଳାର ଦୁନିଆ । ତେବେ ଓଡ଼ିଶାର ପାରମ୍ପରିକ ଚିତ୍ରକଥା ମନକୁ ଆସିଲେ ପ୍ରଥମେ ନଜର ପଡ଼େ ପଟ୍ଟଚିତ୍ର ଉପରେ। ବିଭିନ୍ନ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ କାହାଣୀର ଚରିତ୍ରମାନଙ୍କୁ ପଟ୍ଟଚିତ୍ରରେ ସ୍ଥାନିତ କରିଥାନ୍ତି ପଟ୍ଟଚିତ୍ର ଶିଳ୍ପୀ । ପ୍ରାୟତଃ ପ୍ରାଚୀନ ସଂସ୍କୃତି ଆଧାରିତ ତଥା ବିଭିନ୍ନ ପୁରାଣ କାହାଣୀର କଥା ବସ୍ତୁକୁ ନେଇ ଚିତ୍ର ଅଙ୍କନ କରାଯାଏ ।
ପଟ୍ଟଚିତ୍ର କୁହେ କଳା ସଂସ୍କୃତିର କଥା । ପଟ୍ଟଚିତ୍ର ଓଡିଶା ଚିତ୍ର କଳାର ବିଭିନ୍ନ ବିଭବ ମଧ୍ୟରୁ ଶ୍ରେଷ୍ଠ କଳା । ପୁରୀ ଜିଲ୍ଲାର ପଟ୍ଟଚିତ୍ର ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଏହାର ହାତ ତିଆରି ସାମଗ୍ରୀ ଦେଶବିଦେଶରେ ସ୍ଥାନ ପାଇବା ସହ ବିକ୍ରି ହେଉଛି । ଏହି ପଟ୍ଟଚିତ୍ର ପାଇଁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନ ଗାଁର ମାନ୍ୟତା ପାଇଥିବା ଐତିହ୍ୟ ଗ୍ରାମ ରଘୁରାଜପୁର ଆଜି ବି ଚର୍ଚ୍ଚାରେ। ପଟ୍ଟଚିତ୍ରକଳାକୁ ନେଇ ରଘୁରାଜପୁର ସାରା ବିଶ୍ୱରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଓଡିଶାର ଏହି ପାରମ୍ପରିକ ଚିତ୍ରକଳାକୁ କେବଳ ବିଶ୍ବରେ ପ୍ରସିଦ୍ଧ କରିନାହାଁନ୍ତି ବରଂ ଏହାକୁ ରୋଜଗାରର ମାଧ୍ୟମ କରି ବଞ୍ଚିଛନ୍ତି ଏହି ଗ୍ରାମର ଶହ ଶହ କାରିଗର । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ରଘୁରାଜପୁର ଗାଁ ବୁଲିବା ସହ ସେଠାକାର ଚିତ୍ରକଳା, ସଂସ୍କୃତି ଓ ଐତିହ୍ୟକୁ ବେଶ ପ୍ରଶଂସା କରିଛନ୍ତି ।
ରଘୁରାଜପୁର, ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ଏହି ଗ୍ରାମ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୦ ମସିହାରେ ଏହି ଗ୍ରାମକୁ ଶିଳ୍ପୀ ଗ୍ରାମର ମାନ୍ୟତା ଦିଆଯାଇଛି । ଏହା ମୁଖ୍ୟତଃ ପ୍ରଭୁ ଶ୍ରୀ ଜଗନ୍ନାଥ ତଥା ରାଧାକୃଷ୍ଣଙ୍କ ପ୍ରେମକଥାର ବର୍ଣ୍ଣନାକୁ ନେଇ ଅଙ୍କା ଯାଇଛି । ପଟ୍ଟଚିତ୍ର ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଛି । ଚିତ୍ରକାରମାନେ ବିଭିନ୍ନ ପ୍ରାକୃତିକ ରଙ୍ଗ ବ୍ୟବହାର କରି ମଣ୍ଡଦିଆ କନା ଉପରେ ଚିତ୍ର ଆଙ୍କିଥାନ୍ତି । ଏହା ଓଡ଼ିଶାର ଏକ ବହୁ ପୁରାତନ କଳା । ପଟ୍ଟ ଶବ୍ଦର ଅର୍ଥ କନା । ଏକ ସ୍ଵତନ୍ତ୍ର କନା ଉପରେ ଅଙ୍କିତ । ଏଥିରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଚିତ୍ର ଅଙ୍କା ଯାଇଥାଏ । ଏହି ପଟ୍ଟଚିତ୍ର ପାଇଁ ପୁରୀର ରଘୁରାଜପୁରର ରହିଛି ସ୍ଵତନ୍ତ୍ର ସ୍ଥାନ । ଏହି ଗ୍ରାମରେ ବାସ କରିଥିବା ସବୁ ପରିବାର ପୁରୁଷାନୁକ୍ରମିକ ଭାବେ ପଟ୍ଟଚିତ୍ର କରିଆସୁଛନ୍ତି । ରଘୁରାଜପୁର ଗ୍ରାମବାସୀଙ୍କ ମତ ଅନୁଯାୟୀ, ପଟ୍ଟଚିତ୍ରର ଇତିହାସ ପ୍ରାୟ ହଜାରେ ବର୍ଷରୁ ଅଧିକ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ କଳିଙ୍ଗ ତଥା ବର୍ତ୍ତମାନର ଓଡ଼ିଶାର ଚିତ୍ରଶିଳ୍ପୀମାନେ ତାଳପତ୍ର ସହିତ ରାଜପ୍ରସାଦର ମନ୍ଦିର, ମଠ କାନ୍ଥ ଇତ୍ୟାଦିରେ ବିଭିନ୍ନ ଆଧ୍ୟାତ୍ମିକ ଚିତ୍ର ଆଙ୍କୁଥିଲେ । ପୁରୀ, କୋଣାର୍କ ଓ ଭୁବନେଶ୍ୱରର କାନ୍ଥରେ ଅଙ୍କା ଛବି ସବୁରୁ ପଟ୍ଟଚିତ୍ରର ଜନ୍ମ । ପୁରୀର ରଘୁରାଜପୁରଠାରେ ଏହି କଳା ପୁରୁଷ ପୁରୁଷ ଧରି ଜାରି ରହିଛି । ଏଣୁ ଏହି ଗ୍ରାମକୁ ଐତିହ୍ୟ ଗ୍ରାମର ମାନ୍ୟତା ମିଳିଛି ।
ଖାଲି ସେତିକି ନୁହେଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଯେଉଁ ମେଳା ଅନୁଷ୍ଠିତ ହେଉଛି ରଘୁରାଜପୁର ଗ୍ରାମର ଚିତ୍ରଶିଳ୍ପୀଙ୍କୁ ସେଠାକୁ ନିଆଯାଉଛି । ଏହାଦ୍ବାରା ଅନେକ ଚିତ୍ରଶିଳ୍ପୀ ଭଲ ରୋଜଗାର କରିପାରୁଛନ୍ତି । ଚିତ୍ରଶିଳ୍ପୀଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ରାଜ୍ୟ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସବସିଡିରେ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
