ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ ୨୦୨୫-୨୬ । ବଦଳିଛି ଅନେକ ଆର୍ଥିକ ନିୟମ । ଲାଗୁହେବ ବଜେଟରେ ଘୋଷଣା ହୋଇଥିବା ନୂଆ ଆୟକର ସ୍ଲାବ । ପୁରୁଣା ପେନସନ ସ୍କିମ୍ ବଦଳରେ କାର୍ଯ୍ୟକାରୀ ହେବ ୟୁନିଫାଏଡ୍ ପେନସନ୍ ସ୍କିମ୍ । ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ନୂଆ ଆୟକର ନିୟମ ଏପ୍ରିଲ ପହିଲାରୁ ତଥା ଆଜିଠାରୁ କାର୍ଯ୍ୟକାରୀ ହେବ । ଏହା ଅନୁସାରେ, ବର୍ଷକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବେନି ଆୟକରଦାତା । ଏମିତିକି ଚାକିରିଆ ଗୋଷ୍ଠୀଙ୍କ ଲାଗି ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସହ ୧୨ ଲକ୍ଷ ୭୫ ହଜାର ଟଙ୍କା ଯାଏଁ ଇନ୍କମ ଟ୍ୟାକ୍ସ ଫ୍ରି ରହିବ ।ସେହିପରି ନୂଆ ଆର୍ଥିକ ବର୍ଷ ଆରମ୍ଭ ସହ ପ୍ରତି ଜିଏସଟି ଦାତାଙ୍କ ଇନଭଏସ ବା ବିଲ୍ ର ସିରିଏଲ ନମ୍ବର ପୁଣିଥରେ ୧ରୁ ଆରମ୍ଭହେବ ।
ଅଧିକ ନିରାପତ୍ତା ଉଦ୍ଦେଶ୍ୟରେ ଏହା କରଦାତାଙ୍କ ଲାଗି ବାଧ୍ୟତାମୂଳକ ରହିବ । ସେହିପରି ଏଣିକି କୌଣସି ଦ୍ରବ୍ୟର ପରିବହନ ଲାଗି ୧୮୦ ଦିନରୁ ଅଧିକ ପୁରୁଣା ଡକ୍ୟୁମେଣ୍ଟ ଉପରେ ଆଉ ମିଳିବନି ଇ-ୱେ ବିଲ୍ । ଜିଏସଟିଦାତାଙ୍କୁ ଇନଫର୍ମେସନ ଇନଭଏସ୍ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ହିଁ କ୍ରେଡିଟ୍ ନୋଟ୍ ଗ୍ରହଣ ଓ ବାତିଲ କରିବାକୁ ହେବ । ଲାଗୁହେବ ବହୁ ପ୍ରତୀକ୍ଷିତ ୟୁନିଫାଏଡ୍ ପେନସନ୍ ସ୍କିମ୍ ବା ୟୁପିଏସ୍ । ପୂର୍ବରୁ ଥିବା ପେନସନ୍ ସ୍କିମ୍ ବଦଳରେ ୟୁପିଏସ୍ ଲାଗୁ ପାଇଁ ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୟୁନିଫାଏଡ୍ ପେନସନ୍ ସ୍କିମ୍ ଅଧୀନରେ ଅତିକମରେ ୨୫ ବର୍ଷ ଚାକିରିରେ ଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସର ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନସନ ପାଇବେ । ଏହାଦ୍ବାରା ପ୍ରାୟ ୨୩ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ ।ଅନ୍ୟପକ୍ଷରେ କେତେକ ବ୍ୟାଙ୍କିଙ୍ଗ୍ ନିୟମରେ ମଧ୍ୟ ପରିବର୍ତ୍ତନ ଆସିଛି । ନିଷ୍କ୍ରିୟ ନମ୍ବରରେ କାଲିଠାରୁ ଆଉ ୟୁପିଆଇ ପେମେଣ୍ଟ ହୋଇପାରିବନି । ୟୁପିଆଇକୁ ଅଧିକ ସୁରକ୍ଷିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ। ଏହାଛଡ଼ା କେତେକ କ୍ରେଡିଟ୍ କାର୍ଡ ନିୟମରେ ବି ପରିବର୍ତ୍ତନ ଆସିଛି । ଏସବିଆଇର କେତେକ ନିର୍ଦ୍ଦିଷ୍ଟ କ୍ରେଡିଟ୍ କାର୍ଡର ରିୱାର୍ଡ ପଏଣ୍ଟ ଢାଞ୍ଚାରେ ପରିବର୍ତ୍ତନ ହୋଇଥିବା ବେଳେ ଏୟାର ଇଣ୍ଡିଆ ସହ ଭିସ୍ତାରା ଏୟାରଲାଇନ୍ସ ସମିଶ୍ରଣ ହେବା କାରଣରୁ ଆକ୍ସିସ ବ୍ୟାଙ୍କ ନିଜର ଭିସ୍ତାରା କ୍ରେଡିଟ୍ କାର୍ଡ ବେନିଫିଟ୍କୁ ପରିବର୍ତ୍ତନ କରିଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |